ବୌଦ୍ଧ:ଜଙ୍ଗଲ ମନ୍ତ୍ରୀଙ୍କ ଜିଲ୍ଲାରେ ଅସୁରକ୍ଷିତ ବନ କର୍ମଚାରୀ ! ପାଟ୍ରୋଲିଂ ବେଳେ ବନ ବିଭାଗ କର୍ମଚାରୀଙ୍କ ଗାଡିକୁ ଗୁଳିମାଡ । ଫଳରେ ୨ଜଣ ବନ କର୍ମଚାରୀ ଆହତ ହୋଇଥିବା ବେଳେ ବନ ସଂରକ୍ଷକ ଅଳ୍ପରେ ବର୍ତ୍ତିଯାଇଛନ୍ତି । ବୌଦ୍ଧ ଜିଲ୍ଲା ବଘିଆପଡା ନିକଟସ୍ଥ ଖଲିଆପାଲି ଅଞ୍ଚଳରେ ଏହି ଗୁଳିମାଡ ହୋଇଛି । ତେବେ ଏନେଇ ସମସ୍ତ ଦିଗକୁ ଆଖି ଆଗରେ ରଖି ତଦନ୍ତ କରାଯିବ ବୋଲି କହିଛନ୍ତି ବୌଦ୍ଧ ଏସପି ।
ସୂଚନାଅନୁସାରେ, ଗତକାଲି(ମଙ୍ଗଳବାର) ରାତିରେ ବୌଦ୍ଧ ସହକାରୀ ବନ ସଂରକ୍ଷକଙ୍କ ନେତୃତ୍ୱରେ ଏକ ଟିମ ବଘିଆପଡା ନିକଟସ୍ଥ ଖଲିଆପାଲି ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ବେଳେ ଦୁର୍ବୃତ୍ତମାନେ ଅତର୍କିତ ଭାବରେ ଫାୟାରିଂ କରିଥିଲେ । ଦୁଇଟି ବାଇକ ଯୋଗେ ଚାରିଜଣ ଦୁର୍ବୃତ୍ତ ବନ ଅଧିକାରୀଙ୍କ ସ୍କୋର୍ପିଓ ଗାଡିକୁ ଅଟକାଇବା ପାଇଁ ଚେଷ୍ଟା କରିଥିବା ବେଳେ ଡ୍ରାଇଭର ଉପସ୍ଥିତ ବୁଦ୍ଧା ଖଟାଇ ସେଠାରୁ ଗାଡିକୁ ଖସାଇବା ପାଇଁ ଉଦ୍ୟମ କରିଥିଲେ । ଏହି ସମୟରେ ପଛପଟୁ ପ୍ରାୟ ୫ ରାଉଣ୍ଡ ଗୁଳି ଚଳାଇଥିଲେ ଦୁର୍ବୃତ୍ତ । ଫଳରେ ଗାଡିରେ ଥିବା ୮ଜଣ କର୍ମଚାରୀଙ୍କ ମଧ୍ୟରୁ ୨ଜଣଙ୍କ ଦେହରେ ଗୁଳି ବାଜିଥିଲା । ସହକାରୀ ବନ ସଂରକ୍ଷକ ଅଳ୍ପକେ ବର୍ତ୍ତିଯାଇଥିବା ବେଳେ ତୁରନ୍ତ ଦୁଇ ଆହତଙ୍କୁ ଉଦ୍ଧାର କରି ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।
ଖବର ପାଇ ବୌଦ୍ଧ ଡିଏଫ ଓ ଦେବପ୍ରିୟ କମ୍ପ ଡାକ୍ତରଖାନାରେ ପହଞ୍ଚି ଆହତମାନଙ୍କୁ ଭେଟିଥିବା ବେଳେ ବୌଦ୍ଧ ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି । ତେବେ ଆହତଙ୍କ ମଧ୍ୟରେ ନିଳାଞ୍ଚଳ ପ୍ରଧାନ ଓ ନବ କୁମାର ସାହୁ ଥିବା ବେଳେ ନିଳାଞ୍ଚଳଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଗତ କିଛି ମାସ ପୂର୍ବରୁ ମଧ୍ୟ ଟିକରପଡା ପଞ୍ଚାୟତର ସାଲଦରଙ୍ଗା ଅଞ୍ଚଳରେ ବନ ବିଭାଗର ଗଞ୍ଜେଇ କଟା ଦଳକୁ ଟାର୍ଗେଟ କରି ବ୍ଲାଷ୍ଟିଂ କରାଯାଇଥିଲା ।