ବୌଦ୍ଧ: ବେଶ ଆଡ଼ମ୍ବର ସହ ପାଳିତ ହୋଇଯାଇଛି ପାରମ୍ପରିକ କୈଳାସୀ ଯାତ୍ରା । ବୌଦ୍ଧ ଜିଲ୍ଲାର ପୁରପଲ୍ଲୀରେ ଥିବା କୈଳାସୀ କୁଠୀରେ କାର୍ତ୍ତିକ ଏକାଦଶୀ ତିଥିରେ ଏହି ପ୍ରାଚୀନ କୈଳାସୀ ଯାତ୍ରା ଅନୁଷ୍ଠିତ ହୋଇଛି । କରୋନା କଟକଣା ଯୋଗୁଁ ଗତ ଦୁଇ ବର୍ଷ ହେଲା ପର୍ବ ବନ୍ଦ ରହିଥିବାବେଳେ, ଚଳିତ ବର୍ଷ ଧୁମଧାମରେ ପାଳନ କରାଯାଉଛି ।
ବୌଦ୍ଧ ଜିଲ୍ଲାର କଣ୍ଟାମାଳ, ବୌଦ୍ଧ ଓ ହରଭଙ୍ଗା ବ୍ଲକର ବିଭିନ୍ନ କୈଳାସୀ କୁଠୀରେ ଶ୍ରଦ୍ଧାଳୁ ଓ ମାନସିକଧାରୀମାନେ ପାଳନ କରିଛନ୍ତି । ଏହି ଯାତ୍ରାରେ ବୌଦ୍ଧ ଧର୍ମର ତନ୍ତ୍ର ଦେବୀ ଖଦିରାବଣୀଙ୍କୁ ଥୁଟି ଖଇରାଣୀ ଭାବରେ ଆବାହନ କରାଯାଏ ଏବଂ ଶୁଭ କୈଳାସୀଙ୍କ ପୂଜାର୍ଚ୍ଚନା କରାଯାଇଥାଏ । ଗ୍ରାମ ନିକଟସ୍ଥ ଜଳାଶୟ କିମ୍ବା ନଦୀକୂଳରେ ଦେବାଦେବୀଙ୍କୁ ଆବାହନ କରାଯାଇଥାଏ । ପାରମ୍ପରିକ ଯାତ୍ରା ନିମନ୍ତେ ଗ୍ରାମର କୈଳାସୀ କୁଠୀରେ ବିଭିନ୍ନ ତନ୍ତ୍ର ଦେବାଦେବୀଙ୍କ କୁଠୀ ଚିତ୍ରାଙ୍କନ କରାଯାଇ ବିଧି ମୁତାବକ ପୂଜାର୍ଚ୍ଚନା ପରେ ବରୁଆଙ୍କ ଦେହରେ ଦେବୀ ଆବିର୍ଭୂତ ହୋଇ ବିଭିନ୍ନ ପ୍ରସଙ୍ଗ ଉପରେ ନିର୍ଦ୍ଦେଶ ଦେଇଥାନ୍ତି ବୋଲି ଲୋକ ବିଶ୍ବାସ ରହିଛି ।