ବୌଦ୍ଧ:ଆଜି ଶ୍ରାବଣ ମାସ ଦ୍ୱିତୀୟ ସୋମବାର । ଏଥିଲାଗି ବିଭିନ୍ନ ଶୈବପୀଠରେ ଜଳଲାଗି ପାଇଁ କାଉଡ଼ିଆଙ୍କ ଭିଡ଼ ପରିଲକ୍ଷିତ ହୋଇଛି । ବୌଦ୍ଧ ଜିଲ୍ଲାର ବିଭିନ୍ନ ଶୈବପୀଠରେ ବିଭିନ୍ନ ଜିଲ୍ଲାର ଶ୍ରଦ୍ଧାଳୁ ମାନେ ଜିଲ୍ଲାର ପ୍ରାଚୀନ ତଥା ଐତିହାସିକ ପୀଠରେ ଭୋଳାନାଥଙ୍କୁ ଜଳଲାଗି କରିଥିଲେ ।
ମହାନଦୀ ସମେତ ବିଭିନ୍ନ ନଦୀରୁ ପବିତ୍ର ଜଳ ସଂଗ୍ରହ କରି କାଉଡିଆ ମାନେ ବଡ଼ି ଭୋରରୁ ଦେବ ଦେବ ମହାଦେବଙ୍କ ନିକଟରେ ଜଳଲାଗି କରିଥିଲେ । ଜିଲ୍ଲାର ମହାନଦୀ କୂଳରେ ଅବସ୍ଥିତ ଖଣ୍ଡିଧଳପୁର, ରାମଗଡ଼, କରଡ଼ି, ବାଉଶୁଣୀ, ଅମୁର୍ଡା, ମନମୁଣ୍ଡା ସହିତ ତେଲନଦୀ ତଟରେ ଅବସ୍ଥିତ ପଲସାଗୋରା, କଣ୍ଟାମାଳ, କୁଳୁତାଯୋର ପଞ୍ଚାୟତର ବିଭିନ୍ନ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି ।
ଏହାଛଡା ବୌଦ୍ଧ ଜିଲ୍ଲା ସଦର ମହକୁମାର ମାତଙ୍ଗେଶ୍ବର, ଚନ୍ଦ୍ରଚୂଡ ଶୈବପୀଠ ସହିତ ନବମ ଶତାବ୍ଦୀରେ ନିର୍ମିତ ଐତିହାସିକ ରାମେଶ୍ବର ମନ୍ଦିର ଓ ୪ ଶମ୍ଭୁ ମନ୍ଦିରରେ ବହୁ ଦୂରଦୂରାନ୍ତରୁ କାଉଡିଆ ମାନେ ଭୋଳାନାଥଙ୍କ ନିକଟରେ ଜଳଲାଗି କରିଥିଲେ । ଚନ୍ଦ୍ରଚୂଡ ମନ୍ଦିର ନିକଟରେ ଥିବା ସ୍ବତନ୍ତ୍ର ଆଳତୀ ଘାଟ ଠାରେ ଶ୍ରଦ୍ଧାଳୁ ଓ କାଉଡିଆଙ୍କ ନିମନ୍ତେ ମହାନଦୀରୁ ଜଳ ସଂଗ୍ରହ ବ୍ୟବସ୍ଥା କରାଯାଇଥିଲା ।