ବୌଦ୍ଧ: ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ଭରସା ପାଲଟିଛନ୍ତି କମ୍ପାଉଣ୍ଡର । ସ୍ବାସ୍ଥ୍ୟ କେନ୍ଦ୍ରରେ ମିଟର ତଥା ତାର ଲାଗିଥିଲେ ମଧ୍ୟ ବିଦ୍ୟୁତ ସଂଯୋଗ ହୋଇ ନଥିବାରୁ ଚୋରାରେ ଲାଗିଛି କରେଣ୍ଟ । ଏ ଭଳି ଅବ୍ୟବସ୍ଥାରେ ଚାଲୁଥିବାରୁ କୌଣସି ସମୟରେ ମଧ୍ୟ ଘଟିପାରେ ଅଘଟଣ । ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ର ଏଭଳି ବିକଳ ଚିତ୍ର ବୌଦ୍ଧ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ପାରିବାପଣିଆକୁ ପଦାରେ ପକାଇ ଦେଇଛି ।
ବୌଦ୍ଧ ଜିଲ୍ଲାର ଉପାନ୍ତ ପଞ୍ଚାୟତ ଆମ୍ବଝରୀ ସଦର ମହକୁମାରେ ଅଞ୍ଚଳବାସୀଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାକୁ ସ୍ଥାପନ ହୋଇଛି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର । ଡାକ୍ତର ଅଭାବ ଯୋଗୁଁ ଏଠାରେ କମ୍ପାଉଣ୍ଡର ହିଁ ସବୁକିଛି । ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଏଠାରେ ସ୍ବାସ୍ଥ୍ୟ କେନ୍ଦ୍ର ସ୍ଥାପନ ଦିନଠାରୁ ପୋଲ ପୋତାଯାଇ ବିଦ୍ୟୁତ ତାର ଟଣା ଯାଇ ମିଟର ମଧ୍ୟ ଲାଗିଛି । କିନ୍ତୁ ବିଦ୍ୟୁତ ସଂଯୋଗ ନାହିଁ । ଫଳରେ ସଂଧ୍ୟା ହୋଇଗଲେ ଏଠାରେ ଅନ୍ଧକାର ରାଜୁତି କରେ ।ଫଳରେ ବାଧ୍ୟ ହୋଇ କାର୍ଯ୍ୟରତ କର୍ମଚାରୀ ଚୋରାରେ ବିଦ୍ୟୁତ ତାର ସଂଯୋଗ କରିଛନ୍ତି । ଏଠାରେ ଡାକ୍ତର ଅଭାବ ସହ ବିଦ୍ୟୁତ ଓ ପାନୀୟଜଳ ର ଏଭଳି ଅଭାବ ରୋଗୀ ଙ୍କୁ ଅସୁବିଧାରେ ପକାଉଥିବା ବେଳେ ଘଟଣା କୁ କର୍ମଚାରୀ ସ୍ବୀକାର କରିଛନ୍ତି ।