ବୌଦ୍ଧ: ଜିଲ୍ଲାର ଅପହଞ୍ଚ ଇଲାକାରେ ପହଞ୍ଚି ପାରୁନି ସରକାରଙ୍କ ବିକାଶ ଗାଡି । ସାତ ସମୁଦ୍ର ତେର ନଈର ଗପରି ଭଳି ମନେ ହୁଏ ଏସବୁ ଅଞ୍ଚଳର କରୁଣ କାହାଣୀ । ସାଧାରଣ ଜୀବନ ଠାରୁ ଢେର ଦୂରରେ ଆଜିବି ଅତ୍ୟନ୍ତ ଅବହେଳିତ ଅବସ୍ଥାରେ କାଳ କାଟୁଛନ୍ତି ଲୋକ । ଏଭଳି ଏକ ଗ୍ରାମ ହେଲା ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଛତରଙ୍ଗ ପଞ୍ଚାୟତ ଅନ୍ତର୍ଗତ ବାନ୍ଦିଗାଡୁ ଗ୍ରାମ ।
ଆଜି ବି ବିକାଶରୁ ବଞ୍ଚିତ ବାନ୍ଦିଗାଡୁ ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକରେ ଏଭଳି ଦେଢଶହରୁ ଉର୍ଦ୍ଧ୍ବ ଅପହଞ୍ଚ ଗ୍ରାମ ରହିଛି । ତନ୍ମଧ୍ୟରୁ ବାନ୍ଦିଗାଡୁ ଗ୍ରାମ ଅନ୍ୟତମ । ସମ୍ପୂର୍ଣ୍ଣ ଆଦିବାସୀ ଅଧ୍ୟୁଷିତ ଏହି ଗ୍ରାମକୁ ବର୍ଷ ତମାମ ବାହ୍ୟ ଜଗତରୁ ବିଭିନ୍ନ ଜଙ୍ଗଲ ପାହାଡ ସହ ଝରଣା ବିଛିନ୍ନ କରି ରଖିଥାଏ । ଶିକ୍ଷା, ସ୍ବାସ୍ଥ୍ୟ, ବିଦ୍ୟୁତ, ପାନୀୟଜଳ ଭଳି ଯୋଜନା ଏଠାରେ ସାତ ସପନ । ଆଉ ଏହାର ପ୍ରମୁଖ କାରଣ ହେଲା ଯୋଗାଯୋଗରେ ବିଛିନ୍ନତା ।
ଆଜି ବି ବିକାଶରୁ ବଞ୍ଚିତ ବାନ୍ଦିଗାଡୁ ଏହି ବାନ୍ଦିଗାଡୁ ଗ୍ରାମରେ ସରକାରଙ୍କ ବିକାଶ ପହଞ୍ଚାଇବା ଲକ୍ଷ୍ୟରେ ପ୍ରାୟ ବର୍ଷେ ପୂର୍ବରୁ ବୌଦ୍ଧର ତତ୍କାଳୀନ ପିଡି ଡିଆରଡିଏ ସୂର୍ଯ୍ୟ ନାରାୟଣ ଦାସ ପ୍ରାୟ ପନ୍ଦର କିଲୋମିଟରରୁ ଉର୍ଦ୍ଧ୍ବ ଜଙ୍ଗଲ ଭିତରେ ଚାଲି ଚାଲି ଯାଇ ପହଞ୍ଚିଥିଲେ । ଗାଁରେ କେବେ ବି ଆମ୍ବୁଲାନ୍ସ କିମ୍ବା କୌଣସି ପ୍ରଶାସନିକ ଅଧିକାରୀଙ୍କୁ ଦେଖିନଥିବା ଗ୍ରାମବାସୀ ପିଡିଙ୍କୁ ଦେଖି ଅନେକ ଆଶା ବାନ୍ଧିବା ସହ ଅନେକ ସ୍ବପ୍ନ ମଧ୍ୟ ଦେଖିଥିଲେ । ତେବେ ବର୍ତ୍ତମାନ ସେହି ସ୍ବପ୍ନ ସ୍ବପ୍ନରେ ରହିଯାଇଛି । ଏ ସମ୍ପର୍କରେ ସ୍ଥାନୀୟ ଜନ ପ୍ରତିନିଧି ମଧ୍ୟ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ଏନେଇ ଜିଲ୍ଲା ପ୍ରଶାସନ ଓ ସରକାର ସ୍ବତନ୍ତ୍ର ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ ପାଇଁ ଦାବି ହୋଇଛି ।
ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ