ବୌଦ୍ଧ: କେଉଁଠୁ ଆସିଲେ, କେଉଁଠିକି ଯିବେ ଜାଣି ନାହାଁନ୍ତି । କାଲି କଣ ଖାଇବେ କେଉଁଠୁ ଆଣିବେ କିଛି ଜାଣି ନାହାନ୍ତି । କେବଳ ନାହିଁ ନାହିଁର ଏକ ଅଦ୍ଭୁତ ସଂସାର । ପାଖରେ ନା ଅଛି ଭୋଟର କାର୍ଡ ନା ଅଛି ଆଧାର କିମ୍ବା ରାସନ କାର୍ଡ । ଦିନ ଦିନ ଧରି ଭୋକ ଉପାସରେ ଦିନ କଟିଯାଉଛି । କିନ୍ତୁ କୋହରେ ଦାବି କରିବାକୁ କିମ୍ବା ଦୁଃଖ କରିବା ଜାଣି ନାହାଁନ୍ତି ।ଏଭଳି ମଧ୍ୟ ମଣିଷ ସଂସାରରେ ଅଛନ୍ତି ଜାଣିଲେ ଛାତି ଥରି ଉଠିବ ।
ବୌଦ୍ଧ ଜିଲ୍ଲା ରାଧାନଗର ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଥିବା ହାଟପଦାର ଏକ ପରିତ୍ୟକ୍ତ ଭଙ୍ଗା ଘର ଏମାନଙ୍କ ଆଶ୍ରୟସ୍ଥଳୀ । ପିତା ଅରକ୍ଷିତ କାଲିଗର ଗାଇ ଚରାଇ କିମ୍ବା କେଉଁଠି ମୂଲ ଲାଗି ପତ୍ନୀ ଓ ତିନି ଛୁଆଙ୍କୁ ଚଳାଇ ନେଉଥିଲା। ତେବେ କିଛି ମାସ ତଳେ ସ୍ତ୍ରୀ ମାନସିକ ଭାରସାମ୍ୟ ହରାଇ କେଉଁ ଆଡେ ବୁଲୁଛି । ଲକଡାଉନ ସମୟରେ କରିଥିବା କାମର ବକେୟା ପ୍ରାପ୍ୟ ଆଣିବାକୁ ଯାଇ ଅରକ୍ଷିତ ଦୁର୍ଘଟଣା ଗ୍ରସ୍ତ ହୋଇ ଏବେ ସମ୍ପୂର୍ଣ୍ଣ ଅଚଳ। ଡାକ୍ତରଖାନାରେ ମାତ୍ର ଆଠ ବର୍ଷର ନାବାଳିକା ଝିଅ ନିଜେ ନଖାଇ ବାପାକୁ ଖାଇବାକୁ ଦେଇ ବଞ୍ଚାଇଲା ସତ । ହେଲେ ବର୍ତ୍ତମାନ କିଭଳି ଉକ୍ତ ପରିବାର ଚଳୁଛି ତାହା ଜାଣିବାକୁ ଆମେ ଯେତେବେଳେ ପହଞ୍ଚିଲୁ ସେତେବେଳେ ସେହି କୁନି ଝିଅଟି ପାଠପଢା ତ ବହୁ ଦୂରର କଥା, ସେ ଯେଉଁ କାର୍ଯ୍ୟ କରୁଥିଲା ତାହା ଦେଖିଲେ ଯାହା ଆଖିରେ ମଧ୍ୟ ଲୁହ ଆସିଯିବ ।
ମା’ କୁଆଡେ ଯାଇଛି, ଗୁରୁତର ଅସୁସ୍ଥ ପିତାଙ୍କ ସେବା ଠାରୁ ଆରମ୍ଭ କରି ନିଜ ସାନ ଦୁଇ ଭାଇଙ୍କ ପାଇଁ ଆହାର ସନ୍ଧାନରେ ଏହି କୁନି ଝିଅ । କିନ୍ତୁ କରିବ ବା କଣ । ତା ପାଖରେ ନା ଅଛି, କୌଣସି ସରକାରୀ ପ୍ରମାଣପତ୍ର, ନା ଟଙ୍କା ନା ଅନ୍ୟ କୌଣସି ଉପାୟ । ବାଧ୍ୟ ହୋଇ ମାଗିଯାଚି କିମ୍ବା କେହି ଦୟା ପରବଶ ହେଲେ ଚୁଲି ଜଳୁଛି । ଆମ ବ୍ୟବସ୍ଥା ଭିତରେ ଏମାନେ ସତେ ଯେପରି ଅଲୋଡା ତଥା ଅଜଣା ମୂଲକର ଅଧିବାସୀ।