ବୌଦ୍ଧ:ଜିଲ୍ଲାର ପ୍ରଥମ ମହାବିଦ୍ୟାଳୟ ପ୍ରତିଷ୍ଠାର 43 ବର୍ଷ ପରେ ମଧ୍ୟ ବ୍ୟାପକ ସମସ୍ୟା ଘେରରେ ରହି ଆଜି ପର୍ଯ୍ୟନ୍ତ ସରକାରୀ କଲେଜର ମାନ୍ୟତା ପାଇପାରି ନାହିଁ । ବୌଦ୍ଧ ଜିଲ୍ଲାର ସର୍ବପୁରାତନ ତଥା ପ୍ରଥମ ମହାବିଦ୍ୟାଳୟ ବୌଦ୍ଧ ପଞ୍ଚାୟତ କଲେଜ 1978 ମସିହାରେ ପ୍ରତିଷ୍ଠା ହୋଇଥିଲା । ତେବେ ଜିଲ୍ଲାର ଏହି ପ୍ରଥମ ଉଚ୍ଚ ଶିକ୍ଷାନୁଷ୍ଠାନରେ ଶ୍ରେଣୀ ଗୃହ ଅଭାବ ଠାରୁ ଆରମ୍ଭ କରି ଆଡମିନିଷ୍ଟ୍ରେଟିଭ ବିଲ୍ଡିଂ, ଶୌଚାଳୟ, କଲେଜ ପାଚେରୀ ଭଳି ଅନେକ ସମସ୍ୟା ମଧ୍ୟରେ ଛନ୍ଦି ହୋଇ ରହିଛି । କଲେଜର ପାଚେରୀ ନଥିବାରୁ ଅଧିକାଂଶ ସମୟରେ ଏଠାରେ ଗାଈଗୋରୁ ଓ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ସ୍ଥଳୀ ପାଲଟିଛି ।
ଏହାଛଡା କଲେଜ ପରିସରକୁ ଲାଗି ରହିଥିବା ସରକାରୀ ଓ ବେସରକାରୀ ଜମିକୁ ନେଇ ବିଭିନ୍ନ ସମସ୍ୟା ଲାଗି ରହିଛି । ବ୍ୟାପକ ସମସ୍ୟା ଘେରରେ ଥିବା ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ବିଭିନ୍ନ ଆବଶ୍ୟକତା ରହିଥିବାବେଳେ କେବଳ ଠିକାଦାର ଦ୍ବାରା ଅର୍ଥ ଶ୍ରାଦ୍ଧ ହେଉଥିବା ଭଳି ମନେହୁଏ । ଆଉ ଏଥିରେ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି ବିଶେଷଙ୍କ ତେଲମରା କାମ ଯୋଗୁଁ ଏଭଳି ପରିସ୍ଥିତି ହେଉଥିବା ଚର୍ଚ୍ଚା ହେଉଛି । ସେପଟେ ଖୋଦ ପ୍ରିନ୍ସିପାଲଙ୍କ କାର୍ଯ୍ୟାଳୟ ଛପର ଉଡି ଭାଙ୍ଗି ରୁଜି ଯାଇଥିବାରୁ ତାହା ଏକ ଛାତ୍ରୀ ନିବାସରେ ଚାଲୁଥିବା ନେଇ ସୂଚନା ମିଳିଛି।