ବୌଦ୍ଧ: ବନ୍ୟପ୍ରାଣୀଙ୍କ ପ୍ରାକୃତିକ ଆବାସ ସ୍ଥଳୀ ବର୍ତ୍ତମାନ ଅସୁରକ୍ଷିତ ହୋଇ ପଡିଛି । ଭାରତ ସରକାର ବନ୍ୟପାଣି ସଂରକ୍ଷଣ ପାଇଁ ଅନେକ କାର୍ଯ୍ୟ କରିଥିବା ବେଳେ ଏହାର ସଠିକ ଭାବେ କାର୍ଯ୍ୟକାରୀ ହେଇପାରୁ ନାହିଁ । ଭାରତର ଅନ୍ୟତମ ବନ୍ୟପ୍ରାଣୀ ଅଭୟାରଣ୍ୟର ମୁଖ୍ୟ ଫାଟକ ଦୀର୍ଘ ପାଞ୍ଚଦିନ ହେଲା ମୁକୁଳା ପଡିଥିବାରୁ ଏନେଇ ପରିବେଶ ପ୍ରେମୀ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ବୌଦ୍ଧ ଜିଲ୍ଲା ସମେତ ନୟାଗଡ଼ ଓ ଅନୁଗୁଳ ସୀମାକୁ ସଂଲଗ୍ନ ହୋଇ ରହିଛି ମହାନଦୀ ବନ୍ୟପ୍ରାଣୀ ଅଭୟାରଣ୍ୟ ।
ବୌଦ୍ଧ ଜିଲ୍ଲା କୁଶଙ୍ଗ ପଞ୍ଚାୟତର ଅତଳସରାଠାରୁ ନେଇ ନୟାଗଡ଼ ଜିଲ୍ଲାର ଛାମୁଣ୍ଡିଆ ପର୍ଯ୍ୟନ୍ତ ବିସ୍ତୃତ ଅଭୟାରଣ୍ୟରେ ମଧ୍ୟରେ ଅନେକ ବଣ ଜଙ୍ଗଲକୁ ନେଇ ପଦ୍ମତୋଳା ଅଭୟାରଣ୍ୟ ସହିତ ଶୀତଳପାଣି ଓ ମହାନଦୀ ବାଘ ଅଭୟାରଣ୍ୟ ରହିଥିବା ବେଳେ ଅନ୍ୟ ପାର୍ଶ୍ଵରେ ମହାନଦୀର ଗଣ୍ଡରେ ରହିଛି ସାତକୋଶିଆର କୁମ୍ଭୀରଙ୍କ ବାସସ୍ଥଳୀ । ତେବେ ଏହି ଅଞ୍ଚଳକୁ ସୁରକ୍ଷା ଦେବାପାଇଁ ନିୟୋଜିତ ଗାର୍ଡମାନଙ୍କୁ ଆଠ ମାସ ପର୍ଯ୍ଯନ୍ତ ଦରମା ନଦେବା କାରଣରୁ ସେମାନେ ଅଭୟାରଣ୍ୟରେ ଗେଟ୍କୁ ସୁରକ୍ଷା ଦେବାକୁ ମନା କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତେବେ ଏହି ଅଭୟାରଣ୍ୟ ମଧ୍ୟରେ ପଦ୍ମତୋଳା, ଗେରେଡିସାହି, ନୂଆସାହି ଓ ମାରଡା ଭଳି କେତେକ ଗ୍ରାମ ରହିଛି ।