ବୌଦ୍ଧ:ବୌଦ୍ଧ ଜିଲ୍ଲାରେ ପ୍ରଥମ ଥର ପାଇଁ ଦେଶଜ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ରାଜ୍ୟ ସଂଗୀତ ନାଟକ ଏକାଡେମୀ ପକ୍ଷରୁ ଆୟୋଜନ କରାଯାଇଥିଲା । ଟାଉନହଲ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ତଥା ରାଜ୍ୟର କଳାକାରମାନେ ଲୁପ୍ତ ପ୍ରାୟ ଲୋକବାଦ୍ୟ ଓ ଲୋକକଳାକୁ ପରିବେଷଣ କରି ପ୍ରଶଂସିତ ହୋଇଛନ୍ତି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବୌଦ୍ଧ ଜିଲ୍ଲାରେ ପ୍ରଥମଥର ପାଇଁ ଏଭଳି ପାରମ୍ପରିକ ଲୋକକଳାକୁ ନେଇ ଦେଶଜ ଉତ୍ସବର ଆୟୋଜନ କରାଯାଇଥିଲା ।ଶନିବାର ଓ ରବିବାର ଦୁଇ ଦିନ ଧରି ଅନୁଷ୍ଠିତ ଏହି ଦେଶଜ ଉତ୍ସବରେ ବୌଦ୍ଧ ଜିଲ୍ଲା ସମେତ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଆସିଥିବା କଳାକାରମାନେ ପାରମ୍ପରିକ ଲୋକ ନୃତ୍ୟ ଓ ଲୋକବାଦ୍ୟ ର ପରିବେଷଣ କରି ଅତିଥି ଓ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ ।
ଶନିବାର ବୌଦ୍ଧ ଅଞ୍ଚଳର ଲୋକପ୍ରିୟ ବାଦ୍ୟ ଧୁନକେଲୀକୁ ଶ୍ରୋତା ମାନେ ଖୁବ ପ୍ରଶଂସା କରିଥିବା ବେଳେ ରବିବାର ଉକ୍ତ ଧୁନକେଲୀ କଳାକାରମାନଙ୍କୁ ସ୍ବତନ୍ତ୍ର ପ୍ରଶିକ୍ଷଣ ନିମନ୍ତେ ଦୀକ୍ଷାନ୍ତ କାର୍ଯ୍ୟକ୍ରମରେ ସାମିଲ କରାଯାଇଥିଲା । ସେହିପରି ଗତକାଲି ଉଦଯାପନୀ ଉତ୍ସବରେ ଅତିଥି ରୂପେ କଣ୍ଟାମାଳ ବିଧାୟକ ମହୀଧର ରଣା ଯୋଗ ଦେଇଥିବା ବେଳେ ଅନ୍ୟାନ୍ୟ ଅତିଥି ଭାବରେ ବୌଦ୍ଧ ନଗରପାଳ, ବୌଦ୍ଧ ବ୍ଲକ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ, ସାତ ନମ୍ବର ଜିଲ୍ଲା ପରିଷଦ ସଭ୍ୟ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ରହି କଳାକାରମାନଙ୍କୁ ଉତ୍ସାହିତ କରିଥିଲେ ।
ଏହି ଉଦଯାପନୀ ଉତ୍ସବରେ ପୁରୀର ସାହିଯାତ, ଭଞ୍ଜନଗରର ମୁଖାନାଚ,ବୌଦ୍ଧ ର କରମା ନାଚ ଓ ପଶ୍ଚିମ ଓଡିଶାର ପ୍ରଖ୍ୟାତ କଣ୍ଠଶିଳ୍ପୀ ମାନେ ପାରମ୍ପରିକ ତଥା ଆଞ୍ଚଳିକ ସଂଗୀତ ପରିବେଷଣ କରାଯାଇଥିଲା । ଏଭଳି ରାଜ୍ୟ ସ୍ତରୀୟ ଉତ୍ସବ ବୌଦ୍ଧ ଜିଲ୍ଲାରେ ପ୍ରଥମଥର ପାଇଁ ଆୟୋଜିତ ହୋଇଥିବା ବେଳେ ଏଭଳି କାର୍ଯ୍ୟକ୍ରମ ଦ୍ବାରା ଲୁପ୍ତ ପ୍ରାୟ ଲୋକକଳା ପୁନର୍ଜିବିତ ହୋଇ ପାରିବ ବୋଲି ଉଭୟ କଳାକାର ଓ ଅତ୍ୟନ୍ତ ମାନେ ମତ ପ୍ରକାଶ କରିଛନ୍ତି । ସେପଟେ ଦୁଇ ଦିନିଆ ବୌଦ୍ଧ ଜିଲ୍ଲା ଗସ୍ତରେ ଥିବା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟ ରବିବାର ଜିଲ୍ଲା ସଂଗ୍ରହାଳୟ ପରିଦର୍ଶନ କରିଥିଲେ ।