ବୌଦ୍ଧ: ଶୀତଳ ଷଷ୍ଠୀ ପାଇଁ ଉତ୍ସବ ମୁଖର ବୌଦ୍ଧ ଜିଲ୍ଲା । ଆନନ୍ଦ ଉଲ୍ଲାସର ସହ ଅନୁଷ୍ଠିତ ହେଲା ଦେବଦେବ ମହାଦେବଙ୍କ ବିବାହ ଉତ୍ସବ । ବୁଧବାର ବିଳମ୍ବିତ ରାତିରେ ସମ୍ପନ୍ନ ହୋଇଛି ଦେବ ଦମ୍ପତିଙ୍କ ବିବାହ । ମର୍ତ୍ତ୍ୟମଣ୍ଡଳରେ ମାତା ପାର୍ବତୀଙ୍କ ସହ ମହାଦେବଙ୍କ ବିବାହ ହୋଇଛି । ଏବି ଅବସରରେ ଜିଲ୍ଲାର ବିଭିନ୍ନ ଶୈବପୀଠରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଉଭୟ ବର ପକ୍ଷ ଓ କନ୍ୟା ପକ୍ଷରୁ ବ୍ୟାପକ ପ୍ରସ୍ତୁତି ମଧ୍ୟ କରାଯାଇଥିଲା ।
ବୌଦ୍ଧ ଜିଲ୍ଲାର ମାତଙ୍ଗେଶ୍ବର, ରାମେଶ୍ୱର, ବୁରୁବୁଡାର ଗୁପ୍ତେଶ୍ବର, ସିଦ୍ଧେଶ୍ବର, ଭୁବନେଶ୍ୱର, ଅମୁର୍ଡାର ଷଣ୍ଢେଶ୍ବର, ସୁବର୍ଣ୍ଣେଶ୍ବର, କୁଶଳେଶ୍ବର ଓ ଗୁପ୍ତେଶ୍ବର ଭଳି ଅନେକ ପ୍ରାଚୀନ ଶୈବପୀଠରେ ନୀଳକଣ୍ଠଙ୍କ ବିବାହ ଶେଷ ହୋଇଛି । ଗତକାଲି ସନ୍ଧ୍ୟା ସମୟରେ ବିଭିନ୍ନ ଶୈବପୀଠରୁ ବର ବେଶରେ ସଜ୍ଜିତ ହୋଇ ମହାଦେବ ବରଯାତ୍ରୀଙ୍କ ସହିତ କନ୍ୟା ଘର ଅଭିମୁଖେ ବାହାରିଥିଲେ । ବରଯାତ୍ରୀ ସହିତ ସ୍ଥାନୀୟ ପାରମ୍ପରିକ ଲୋକନୃତ୍ୟ ଓ ଲୋକବାଦ୍ୟ ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥିଲା ।
ତେବେ ବରଯାତ୍ରୀ ବାହାରିବା ସମୟରେ ସାମାନ୍ୟ ବର୍ଷା ହୋଇଥିଲା । ସେପଟେ କନ୍ୟା ପକ୍ଷରୁ ବରଯାତ୍ରୀଙ୍କୁ ସ୍ବାଗତ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା । ଏଥିସହ ମାତା ପାର୍ବତୀଙ୍କ ନିମନ୍ତେ ନିଜ ସାଧ୍ୟ ମୁତାବକ ଯୌତୁକ ଭାରର ବ୍ୟବସ୍ଥା କରାଯାଇଥିଲା । ବରଯାତ୍ରୀ ପହଞ୍ଚିବା ପରେ ଦେବ ଦମ୍ପତିଙ୍କ ବିବାହ ବିଳମ୍ବିତ ରାତିରେ ସମାପନ ହୋଇଥିଲା । କନ୍ୟା ପକ୍ଷରୁ ବରଯାତ୍ରୀ ଓ ନିମନ୍ତ୍ରିତ ଅତିଥିଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।