ବୌଦ୍ଧ:ସହରାଞ୍ଚଳର ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ସହଯୋଗ କରିବା ସହିତ ଆର୍ଥିକ ସ୍ତରରେ ବେଶ ସ୍ବାବଲମ୍ବୀ ହୋଇ ପାରିଛନ୍ତି ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟ । ମୁକ୍ତା ଯୋଜନା ମାଧ୍ୟମରେ ଶତାଧିକ ମହିଳା ଗୋଷ୍ଠୀର ସଦସ୍ୟ ଯୋଡି ହେବା ସହିତ ସହରାଞ୍ଚଳର ଉନ୍ନତିରେ ଭାଗୀଦାର ହୋଇଛନ୍ତି । ଜିଲ୍ଲାର ଏକମାତ୍ର ପୌରାଞ୍ଚଳ ବୌଦ୍ଧ ଗଡ ଏନଏସିର ସମୁଦାୟ 17 ଗୋଟି ଓ୍ବାର୍ଡରେ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ ମାଧ୍ୟମରେ ଯୋଡି ହୋଇଛନ୍ତି 196 ମହିଳା ଗୋଷ୍ଠୀର ସଦସ୍ୟ । ବୌଦ୍ଧ ଜିଲ୍ଲା ସଦର ମହକୁମାର ମର୍ଜାକୁଦ ଦ୍ବୀପର ଦୁଇଟି ଓ୍ବାର୍ଡ ସମେତ ସମସ୍ତ ଓ୍ବାର୍ଡରେ ମୁକ୍ତା ଯୋଜନା ଅଧିନରେ ଓ୍ବାକିଙ୍ଗ ଟ୍ରାକ, କାନ୍ଥ ରଙ୍ଗ କରିବା, ଭୂତଳ ଜଳ ସଂରକ୍ଷଣ, ମିନି ପାର୍କ ଉନ୍ନତି କରଣ ଭଳି ଅନେକ କାର୍ଯ୍ୟ ହାତକୁ ନିଆଯାଇଛି ।
ଜିଲ୍ଲାର ମଧ୍ୟ ଭାଗରେ ଥିବା ଯୋଗୀନ୍ଦ୍ରଦେବ ଉଦ୍ୟାନ ସହରବାସୀଙ୍କ ପ୍ରମୁଖ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥିବା ବେଳେ ବିଜୁ ଆଦର୍ଶ କଲୋନୀ ଓ ବିଭିନ୍ନ ବସ୍ତିର ଉନ୍ନତି କ୍ଷେତ୍ରରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ରହିଛି । ବୌଦ୍ଧ ପୌରାଞ୍ଚଳର ସମସ୍ତ 17 ଗୋଟି ଓ୍ବାର୍ଡରେ ମୁକ୍ତା ଯୋଜନା ମାଧ୍ୟମରେ ବିଭିନ୍ନ ବିକାଶମୂଳକ ଯୋଜନାରେ ମହିଳା ଗୋଷ୍ଠୀର ପ୍ରତ୍ୟକ୍ଷ ଭାଗିଦାରୀ ପୌରାଞ୍ଚଳର ଉନ୍ନତିରେ ସହାୟକ ହୋଇପାରିଛି । ମହିଳା ଗୋଷ୍ଠୀଙ୍କ ଦ୍ବାରା ବୌଦ୍ଧ ପୌରାଞ୍ଚଳରେ ଏମଏସଜି ତଥା ଏସଡିସିର ନିୟୋଜନ କରି ଭିତ୍ତିଭୂମି ସୃଷ୍ଟି ଓ ଭିତ୍ତିଭୂମିର ରକ୍ଷଣାବେକ୍ଷଣ କାର୍ଯ୍ୟ ଜାରି ରହିଛି ।