ବୌଦ୍ଧ: ମହାନଦୀ ଦକ୍ଷିଣ ତଟରେ ଅବସ୍ଥିତ ବୌଦ୍ଧ ଜିଲ୍ଲାରେ ଖରାର ପ୍ରକୋପ ଚରମ ସୀମାରେ ପହଞ୍ଚି ପାରଦ ୪୫ ଡିଗ୍ରୀ ଟପିବାକୁ ବସିଲାଣି । ଏପଟେ ମହାନଦୀ କୂଳରେ ଥାଇ ମଧ୍ୟ ବୌଦ୍ଧ ପୌରାଞ୍ଚଳ ସହିତ ତିନୋଟି ବ୍ଲକର ଶତାଧିକ ଗ୍ରାମରେ ଦେଖାଦେଇଛି ଉତ୍କଟ ପାନୀୟ ଜଳ ସମସ୍ୟା । ସବୁଠାରୁ ବେଶୀ ପ୍ରଭାବିତ ହେଉଛି ହରଭଙ୍ଗା ବ୍ଲକ । ଆଉ ଏହି ବ୍ଲକରେ ଜଳଯୋଗାଣ ଦାୟିତ୍ୱରେ ଯେଉଁ ଅଧିକାରୀ ଜଣକ ଅଛନ୍ତି ତାଙ୍କର ଅପାରଗତାରୁ ଅନେକ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇପାରୁନଥିବା ଅଭିଯୋଗ ହୋଇଛି । ଏହାର ଏକ ଜ୍ବଳନ୍ତ ଉଦାହରଣ ହେଉଛି ବ୍ଲକ ମୁଖ୍ୟାଳୟ ଠାରୁ ମାତ୍ର କେଇ ମିଟର ଦୂରରେ ଅବସ୍ଥିତ ଠିଡିକାଯୋର ବସ୍ତି ।
କଥାରେ ଅଛି ଦୀପ ତଳ ଅନ୍ଧାର । ଠିକ ସେହିପରି ଚାରିଛକ ସ୍ଥିତ ବ୍ଲକ କାର୍ଯ୍ୟାଳୟ ଠାରୁ ଅଳ୍ପ ଦୂରରେ ଅବସ୍ଥିତ ଠିଡିକାଯୋର ଗାଁରେ ଏବେ ଦେଖାଦେଇଛି ଉତ୍କଟ ପାନୀୟ ଜଳ ସମସ୍ୟା । ଦୁଇ ବର୍ଷ ତଳେ ଏଠାରେ ଗଭୀର ନଳକୂପ ଖୋଳା ଯାଇଥିଲେ ମଧ୍ୟ ସ୍ଥାନୀୟ ଜଳଯୋଗାଣ ଯନ୍ତ୍ରୀଙ୍କ ବେପରୁଆ ମନୋଭାବ ଯୋଗୁଁ ଜଳ ଯୋଗାଣ ସମ୍ଭବ ହୋଇପାରି ନାହିଁ । ଏପଟେ ବସ୍ତିରେ ଖୋଳାଯାଇଥିବା ନଳକୂପରୁ ଗୋଟିଏ ଘଣ୍ଟାଏ ଝାଳ ବୁହାଇଲେ ବାଲଟିଏ ପିଇବା ପାଣି ବାହାରୁଥିବା ବେଳେ ଅନ୍ୟ କୂପଟିକୁ ପିଇବା ନିମନ୍ତେ ସତର୍କତା ଦୃଷ୍ଟିରୁ ବିଭାଗ ପକ୍ଷରୁ ନିଷେଧ କରାଯାଇଛି ।