ବୌଦ୍ଧ:ବୌଦ୍ଧ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର । ଜିଲ୍ଲାର ପ୍ରମୁଖ ହସ୍ପିଟାଲଗୁଡିକରେ ଡାକ୍ତରଙ୍କ ଅଭାବ ସହ ଆମ୍ବୁଲାନ୍ସ ସେବା ବି ବିପର୍ଯ୍ୟସ୍ତ ଅବସ୍ଥାରେ ଥିବା ଅଭିଯୋଗ ଆସିଛି । ଜିଲ୍ଲାର ଅନେକ ଅଞ୍ଚଳକୁ ରାସ୍ତା ସମସ୍ୟା ଯୋଗୁଁ ଆମ୍ବୁଲାନ୍ସ ସେବା ସଠିକ ସମୟରେ ପହଞ୍ଚି ପାରୁନଥିବା ବେଳେ ଜିଲ୍ଲାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଠାରୁ ନେଇ ପ୍ରାଥମିକ ଆରୋଗ୍ୟ କେନ୍ଦ୍ରଗୁଡ଼ିକ ବ୍ୟାପକ ସମସ୍ୟା ଘେରରେ ରହିଥିବା ଅଭିଯୋଗ ହୋଇଛି ।
ସୋମବାର ଦିନ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ରୋଗୀଙ୍କ ମୃତ୍ୟୁ ପରେ ଦୀର୍ଘ ସମୟ ଧରି ତାଙ୍କ ମୃତଦେହ ପରିବାରକୁ ହସ୍ତାନ୍ତର ନକରିବାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ସ୍ଥାନୀୟ ପୋଲିସ ଓ ଡ଼ାକ୍ତରଖାନା କର୍ତ୍ତୃପକ୍ଷଙ୍କ ମଧ୍ୟରେ ତାଳମେଳ ରହୁନଥିବା ଯୋଗୁଁ ଗୋଟିଏ ପରିବାରକୁ ଦୀର୍ଘ ସମୟ ଧରି ହଇରାଣ ହେବାକୁ ପଡ଼ିଥିବା ସୂଚନା ରହିଛି ।
ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ଜିଲ୍ଲାର କଣ୍ଟାମାଳ, ମନମୁଣ୍ଡା, ବାଉଁଶୁଣୀ, ପୁରୁଣା କଟକ, ଆଢ଼େଣୀଗଡ଼ଠାରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ତଥା ସେଗୁଡ଼ିକ ଅଧିନରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରହିଛି । କିନ୍ତୁ ଜିଲ୍ଲାର ବିଭିନ୍ନ ଡାକ୍ତରଖାନାରେ ବିଶେଷଜ୍ଞ ଡାକ୍ତରଙ୍କ ଅଭାବ ସାଙ୍ଗକୁ ଆମ୍ବୁଲାନ୍ସର ଅଭାବରୁ ଅନେକ ସମୟରେ ରୋଗୀ ମୃତ୍ୟୁମୁଖରେ ପଡ଼ୁଛନ୍ତି । ଗତ କିଛି ଦିନ ତଳେ ଆଢେଣୀଗଡ଼ ଫାଣ୍ଡିର ଦୁଇ ଜଣ ପୋଲିସ କର୍ମଚାରୀ ସଡ଼କ ଦୁର୍ଘଟଣାରେ ଆହତ ହୋଇଥିଲେ । ଆମ୍ବୁଲାନ୍ସ ଉପଲବ୍ଧ ନହେବାରୁ ବିଳମ୍ବିତ ଚିକିତ୍ସା ଯୋଗୁଁ ସେମାନଙ୍କ ଜୀବନ ଯାଇଥିବା ଭଳି ଘଟଣା ସାମ୍ନାକୁ ଆସିଥିଲା । ଦୁଇ ଦିନ ପୂର୍ବରୁ ଆମ୍ବୁଲାନ୍ସ ଅଭାବରୁ କଣ୍ଟାମାଳ ଡାକ୍ତରଖାନାକୁ ଜଣେ ଗର୍ଭବତୀ ଏକ ଅଟୋ ମଧ୍ୟରେ ପ୍ରସବ କରିବା ଭଳି ଘଟଣା ସାମ୍ନାକୁ ଆସିଛି ।