ବୌଦ୍ଧ:ଗଣତନ୍ତ୍ର ଦିବସରେ ସିରିଜ ଦୁର୍ଘଟଣା । ଭାରସାମ୍ୟ ହରାଇ ୬ଟି ବାଇକକୁ ଧକ୍କା ଦେବା ପରେ ଏକ ଦୋକାନରେ ପଶିଗଲା ସ୍କରର୍ପିଓ ଗାଡି । ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତିନିଜଣ ଆହତ ହୋଇଥିବା ସୂଚନା ମିଳିଛି । ବୌଦ୍ଧ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବହିରାରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ମୃତକ ହେଉଛନ୍ତି ଅଳାଁପାଲି ପଞ୍ଚାୟତର ପିଇଓ । ଅନ୍ୟ ମୃତକଙ୍କ ପରିଚୟ ମିଳିପାରି ନାହିଁ ।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବଲାଙ୍ଗୀର ପଟରୁ ଭୁବନେଶ୍ୱର ଯାଉଥିବା ଏକ ସ୍କର୍ପିଓ ଆସୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଛଅଟି ବାଇକକୁ ଧକ୍କା ଦେଇଥିଲା । ଏହାପରେ ପରେ ବହିରା କେନାଲ ଛକରେ ଥିବା ଏକ ଜଳଖିଆ ଦୋକାନରେ ପଶିଯାଇଥିଲା । ଏହି ସମୟରେ ଅଳାଁପାଲି ପଞ୍ଚାୟତର ପିଇଓ ଙ୍କ ସହିତ ଅନ୍ୟ ଜଣେ ବ୍ୟକ୍ତିଙ୍କ ଉପରେ ଉକ୍ତ ଦୁର୍ଘଟଣା ଗ୍ରସ୍ତ ଗାଡି ମାଡିଯିବାରୁ ଘଟଣା ସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା ।
ଏହି ଦୁର୍ଘଟଣାପରେ ସ୍ଥାନୀୟ ଅଞ୍ଚଳରେ ଉତ୍ୟକ୍ତ ଲୋକେ ଦୀର୍ଘ ସମୟ ଧରି ବହିରାରେ ଜାତୀୟ ରାଜପଥ ଅବରୋଧ କରିଥିଲେ । ପରେ ଜିଲ୍ଲା ପୋଲିସର ବରିଷ୍ଠ ଅଧିକାରୀମାନେ ପହଞ୍ଚି ପରିସ୍ଥିତିକୁ ଆୟତ କରିଥିଲେ । ଏପରି ଦୁଃଖ ଖବର ଜାଣିବାପରେ ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ତେବେ ଜିଲ୍ଲାରେ ବାରମ୍ବାର ସଡ଼କ ଦୁର୍ଘଟଣା ଯୋଗୁଁ ଧନ ଜୀବନ ହାନି ହେଉଥିବାରୁ ଏଥିପାଇଁ କଠୋର ପଦକ୍ଷେପ ଗ୍ରହଣ ପାଇଁ ଦାବି କରିଛନ୍ତି ବୁଦ୍ଧିଜୀବୀ।