ବୌଦ୍ଧ:ଡ୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ ଆନ୍ଦୋଳନ ସମୟରେ ବୌଦ୍ଧରେ ପୋଲିସ ଓ ଡ୍ରାଇଭର ମୁହାଁମୁହିଁ ହୋଇଛନ୍ତି । ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା ପରେ ଡ୍ରାଇଭର ସଂଘ ଆନ୍ଦୋଳନ ପ୍ରତ୍ୟାହୃତ ପାଇଁ ନିଷ୍ପତ୍ତି ନେଇଥିଲା । କିନ୍ତୁ ବୌଦ୍ଧ ଜିଲ୍ଲା ଡ୍ରାଇଭର ମହାସଂଘ ଏହି ନିଷ୍ପତ୍ତି ଗ୍ରହଣ ନକରି ଆନ୍ଦୋଳନ ଜାରି ରଖିଥିଲା । ଆନ୍ଦୋଳନକାରୀମାନେ ଚାରିଛକ ଠାରେ ମାଲ ବୋଝେଇ ଟ୍ରକ ଅଟକାଇଥିଲେ । ଏହାକୁ ନେଇ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ପୋଲିସ କିଛି ଆନ୍ଦୋଳନକାରୀଙ୍କ ଉଠାଇ ନେବା ପରେ ରାଜରାସ୍ତାରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଡ୍ରାଇଭର । ତେବେ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ଏସପିଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ସାମାନ୍ୟ ହୋଇଥିବା ସୂଚନା ମିଳିଛି ।
ତିନି ଦିନ ଧରି ରାଜ୍ୟବ୍ୟାପୀ ଚାଲିଥିବା ଡ୍ରାଇଭରଙ୍କମାନଙ୍କ ଆନ୍ଦୋଳନ ଶୁକ୍ରବାର ସନ୍ଧ୍ୟାରେ ପ୍ରତ୍ୟାହୃତ ହୋଇଛି । ରାଜ୍ୟ ଡ୍ରାଇଭର ମହାସଂଘର ଆହ୍ବାନକ୍ରମେ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଜାରି ରହିଥିଲା । ବିଶେଷକରି ଜିଲ୍ଲାର କଣ୍ଟାମାଳ, ଘଣ୍ଟାପଡା, ମନମୁଣ୍ଡା, ବାଉଁଶୁଣୀ, ବୌଦ୍ଧ, ଚାରିଛକ ଓ ମାଧପୁରଠାରେ ଆନ୍ଦୋଳନ କରିଥିଲେ ଡ୍ରାଇଭର । ମାଲ ବୋଝେଇ ଟ୍ରକ ଅଟକାଇବାକୁ ନେଇ ଶୁକ୍ରବାର ଦିନ ତମାମ ବୌଦ୍ଧ ଜିଲ୍ଲାର ଚାରିଛକ ଠାରେ ଡ୍ରାଇଭର ମହାସଂଘର ହାଇଭୋଲଟେଜ ଡ୍ରାମା ଦେଖିବାକୁ ମିଳିଥିଲା ।