ବୌଦ୍ଧ: ଜିଲ୍ଲାରେ ମର୍ଜାକୁଦର ନିଆରା ପରମ୍ପରା ସତୀକନ୍ୟା ଠାକୁରାଣୀ ଯାତ୍ରା । ଅଶ୍ଳୀଳ ବୋଲି ଉଚ୍ଚାରଣ ମଧ୍ୟରେ ସମାପନ ହୋଇଯାଇଛି ଦେବୀ ସତୀକନ୍ୟାଙ୍କ ଏହି ଯାତ୍ରା । ଗତ ୯ ତାରିଖରେ ଏହି ଯାତ୍ରା ଆରମ୍ଭ ହୋଇଥିବା ବେଳେ ଗୁରୁବାର ଶେଷ ହୋଇଯାଇଛି । ଅତ୍ୟନ୍ତ ଅଶ୍ଳୀଳ ବୋଲି ଉଚ୍ଚାରଣ ମଧ୍ୟରେ ଦେବୀଙ୍କୁ ମହିଳା ମାନେ ଆବାହନ କରି ମାନସିକ ବ୍ରତ ପାଳନ କରିଥିଲେ । ସଦର ମହକୁମାର ମହାନଦୀ ଗର୍ଭରେ ଥିବା ମର୍ଜାକୁଦ ଦ୍ବୀପ ଗ୍ରାମରେ ଦେବୀ ସତୀକନ୍ୟାଙ୍କୁ ପ୍ରତ୍ୟେକ ବର୍ଷ ମାର୍ଗଶୀର ପୂର୍ଣ୍ଣିମା ତିଥିରେ ସ୍ବତନ୍ତ୍ର ଭାବରେ ପୂଜାର୍ଚ୍ଚନା ସହିତ ଚୂଡାଖାଇ ଯାତ୍ରା ପାଳନ କରାଯାଇଥାଏ । ଏହାର ଆଠ ଦିନ ପରେ ଅଷ୍ଟ ମଙ୍ଗଳ ଯାତ୍ରା ଅନୁଷ୍ଠିତ ହୋଇଥାଏ ।
ଅଷ୍ଟ ମଙ୍ଗଳ ଯାତ୍ରାରେ କେବଳ ପୁରୁଷ ମାନେ ଭାଗନେଇ ମହାନଦୀ କୂଳରେ ଥିବା ପୀତାବଳୀଙ୍କ ପୀଠକୁ ଅଶ୍ଳୀଳ ବୋଲି ଉଚ୍ଚାରଣ କରି ଯାତ୍ରା କରିଥାନ୍ତି । ବୌଦ୍ଧ ଜିଲ୍ଲା ପଞ୍ଚରା ଋଷିବନ୍ଧର ଚୂଡାଖାଇ ଯାତ୍ରା ଓ ଡଙ୍ଗର ଯାତ୍ରାରେ ମଧ୍ୟ ଅନୁରୂପ ଭାବରେ ଅଶ୍ଳୀଳ ବୋଲି ଉଚ୍ଚାରଣ ହେଉଥିବା ବେଳେ ଗୁରୁବାର ମର୍ଜାକୁଦର ଅଷ୍ଟ ମଙ୍ଗଳ ଯାତ୍ରା ସହିତ ଏଭଳି ନିଆରା ଯାତ୍ରା ଉଦଯାପିତ ହୋଇଛି । ସେହିପରି ବୀରନରସିଂପୁର ଠାରେ ଅଞ୍ଚଳର ଲୋକକଳା ଓ ସଂସ୍କୃତିର ପର୍ବ ଗଡଜାତ ମହୋତ୍ସବ ଉଦଘାଟିତ ହୋଇଛି ।