ବୌଦ୍ଧ: ଜିଲ୍ଲାର ହରଭଙ୍ଗା ବ୍ଲକର ଅନ୍ୟତମ ବାଣିଜ୍ୟିକ ପେଣ୍ଠସ୍ଥଳ ତିଲେଶ୍ବର ପଞ୍ଚାୟତ ସଦର ଠାରେ ସାପ୍ତାହିକ ବଜାରକୁ ନେଇ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଏନେଇ ସ୍ଥାନୀୟ ନାଏବ ସରପଞ୍ଚ ଓ କେତେକ ଓ୍ବାର୍ଡ ସଭ୍ୟ ସିଧାସଳଖ ତିଲେଶ୍ବର ପଞ୍ଚାୟତର ସରପଞ୍ଚଙ୍କ ଆଡକୁ ଆଙ୍ଗୁଳି ଉଠାଇଛନ୍ତି । ଜିଲ୍ଲାର ପୁରାତନ ତଥା ବୃହତ ବଜାର ତିଲେଶ୍ବର ଠାରେ ପ୍ରତ୍ୟେକ ରବିବାର ସାପ୍ତାହିକ ହାଟ ବସିଥାଏ । କିନ୍ତୁ ସରପଞ୍ଚଙ୍କ ମନୋମୁଖି କାର୍ଯ୍ୟ ଯୋଗୁଁ ହାଟର ରାଜସ୍ୱ ଅସୁଲି ବ୍ୟବସ୍ଥାରେ ବ୍ୟାପକ ତୃଟି ପରିଲକ୍ଷିତ ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ତିଲେଶ୍ବର ପଞ୍ଚାୟତର ସରପଞ୍ଚ ଓ ନାଏବ ସରପଞ୍ଚ ମୁହାଁମୁହିଁ ହୋଇଛନ୍ତି ।
ଅଭିଯୋଗ ଅନୁଯାୟୀ, ସରପଞ୍ଚଙ୍କ ମନମୁଖୀ କାର୍ଯ୍ୟକୁ ଓ୍ବାର୍ଡ ସଭ୍ୟମାନେ ବିରୋଧ କରିବାରୁ ସେ ନାଏବ ସରପଞ୍ଚ ଏବଂ ଅନ୍ୟ ସଦସ୍ୟଙ୍କୁ ଦୁର୍ବ୍ୟବହାର କରିଛନ୍ତି । ଏ ସମ୍ପର୍କରେ ସେମାନେ ହରଭଙ୍ଗା ବିଡିଓଙ୍କ ନିକଟରେ ଲିଖିତ ଅଭିଯୋଗ ପରେ ମଧ୍ୟ କୌଣସି ସୁଫଳ ନପାଇବାରୁ ବୌଦ୍ଧ ଜିଲ୍ଲାପାଳଙ୍କ ନିକଟରେ ନ୍ୟାୟ ପାଇଁ ଗୁହାରି କରିଥିଲେ । ରବିବାର ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ତିଲେଶ୍ବର ପଞ୍ଚାୟତରେ ଅଭିଯୋଗ ଶୁଣାଣୀ ପାଇଁ ପହଞ୍ଚି ଥିବାବେଳେ ତିଲେଶ୍ବର ପଞ୍ଚାୟତର ସମସ୍ୟା ନେଇ ନାଏବ ସରପଞ୍ଚଙ୍କ ଗୋଷ୍ଠୀ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ତେବେ ଜିଲ୍ଲାପାଳ ଏହାର ସମାଧାନ ପାଇଁ ଉଭୟ ସରପଞ୍ଚ ଓ ନାଏବ ସରପଞ୍ଚ ଗୋଷ୍ଠୀକୁ ଡକାଇ ସମାଧାନ କରିବାକୁ ହରଭଙ୍ଗା ବିଡିଓ ସ୍ବପ୍ନିତା ନାଏକଙ୍କୁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି ।