ଓଡିଶା

odisha

ETV Bharat / state

ଚୋରି ହେଲା ବିଜୁ ପକ୍କାଘର, ବେସାହାରା ହିତାଧିକାରୀ - ଲକ୍ଷ୍ମୀ ପ୍ରସାଦ ପଞ୍ଚାୟତ

ଗରିବଙ୍କ ସୁବିଧା ପାଇଁ ସରକାର ଯୋଜନା ମାନ କରୁଥିବା ବେଳେ ଅନେକ ଖଳ ପ୍ରକୃତିର ଲୋକ ତାକୁ ହିତାଧିକାରୀଙ୍କ ଠାରୁ ଠକି ନେଇ ଯାଉଛନ୍ତି । ଏମିତି ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ଲକ୍ଷ୍ମୀ ପ୍ରସାଦ ପଞ୍ଚାୟତରେ । ସରକାରୀ ଆବାସ ଯୋଜନାର ଅସଲ ହିତାଧିକାରୀ ଭଙ୍ଗା ଦଦରା ଘରେ ରହୁଥିବା ବେଳେ ତାଙ୍କ ଘରକୁ ଚୋରୀ କରି ନେଇଛନ୍ତି ସମ୍ପର୍କୀୟ ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

By

Published : Aug 20, 2019, 10:39 PM IST

ବୌଦ୍ଧ: ଟଙ୍କା ଚୋରି ଓ ସୁନା ଚୋରୀ କଥା ଆପଣ ଶୁଣିଥିବେ ନିଶ୍ଚିତ । କିନ୍ତୁ ଆବାସ ଯୋଜନାର ଘର ଚୋରି ହେବା କଥା ନିଶ୍ଚିତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ । ବୌଦ୍ଧ ଜିଲ୍ଲା ଲକ୍ଷ୍ମୀ ପ୍ରସାଦ ପଞ୍ଚାୟତ କାର୍ଯ୍ୟାଳୟର ନାକ ତଳେ ଘଟିଛି ଏଭଳି ଘଟଣା। ଅସହାୟ ଗରିବ ହିତାଧିକାରୀଙ୍କ ଜୀବନ ବିତୁଛି ପଲିଥିନରେ ଢଙ୍କା ଭଙ୍ଗା ଦଦରା ଘରେ ଆଉ ତାଙ୍କ ପାଇଁ ଆସିଥିବା ଘର ଚୋରି କରି ନେଇଛି ଆଉ ଜଣେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ସୂଚନା ଅନୁସାରେ ଲକ୍ଷ୍ମୀ ପ୍ରସାଦ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଥିବା ବାଘପାଲି ଗ୍ରାମର ଭାମା ନାଏକଙ୍କ ସ୍ବାମୀ ପ୍ରାୟ ୨୦ ବର୍ଷ ତଳେ ସ୍ବର୍ଗବାସୀ ହୋଇଥିଲେ । ଅସହାୟ ଭାମାଙ୍କୁ ସରକାରଙ୍କ ଆବାସ ଯୋଜନାରେ ତାଙ୍କୁ ସାମିଲ କରାଯାଇ ଗତ ୧୬-୧୭ ଆର୍ଥିକ ବର୍ଷରେ ଏକ ବିଜୁ ପକ୍କାଘର ପ୍ରଦାନ କରାଯାଇଥିଲା । ଘର ତିଆରି ହୋଇ ଟଙ୍କା ପଇଠ ମଧ୍ୟ ଅନେକ ଦିନରୁ ହୋଇ ସାରିଛି । କିନ୍ତୁ ଏବେବି ଭାମା ସେହି ଭଙ୍ଗା ଦଦରା ଘରେ ନିଜ ଭାଗ୍ୟକୁ ଆଦରି ପଡିରହିଛନ୍ତି ।

ଏସମ୍ପର୍କରେ ଇଟିଭି ଭାରତ ପକ୍ଷରୁ ଯାଞ୍ଚ କରାଯିବାରୁ ଭାମାଙ୍କ ଆବାସ ଘର ଚୋରି ହୋଇଯାଇଥିବା ଜଣା ପଡିଛି । ଭାମାଙ୍କ ଜଣେ ଦୂର ସମ୍ପର୍କୀୟ ଏହି ଆବାସ ଘରକୁ ଚଞ୍ଚକତା କରି ନିଜ ଘର ପଛପଟରେ ଅତି ଶନ୍ତର୍ପଣରେ ତିଆରି କରି ଏକ ଲକ୍ଷ କୋଡିଏ ହଜାର ଟଙ୍କା ହଡପ କରି ନେଇଛନ୍ତି । କିଛି ମାସ ପରେ ଭାମା ନିଜ ଘର ସମ୍ପର୍କରେ ଜାଣି ପାରିଥିଲେ ମଧ୍ୟ ଅସହାୟତା ହେତୁ ମୁହଁ ଖୋଲିବାକୁ ସାହସ କରିନଥିଲେ । ଏବେ ଭାମାଙ୍କୁ ସତୁରୀ ବର୍ଷରୁ ଉର୍ଦ୍ଧ୍ବ ହୋଇ ସାରିଥିବା ବେଳେ ଅତ୍ୟନ୍ତ ଦୟନୀୟ ଭାବେ ଜୀବନ ବିତାଉଛନ୍ତି ସେ।

ଏନେଇ ଭାମା ସୋମବାର ଦିନ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ନିକଟକୁ ଯାଇ ଅଭିଯୋଗ କରିଛନ୍ତି । ଏହି ଘର ଚୋରି ସମ୍ପର୍କରେ ଆମେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ବିଡ଼ିଓଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ ମଧ୍ୟ କାହାର ପ୍ରତିକ୍ରିୟା ମିଳିପାରି ନାହିଁ । ତେବେ ବୌଦ୍ଧ ଜିଲ୍ଲାରେ ଆବାସ ଘର ଚୋରି ଘଟଣା ଏହି ଗୋଟିଏ ନା ଆହୁରି ଏଭଳି ଦୁର୍ନୀତି ହୋଇଛି ସେ ସମ୍ପର୍କରେ ତଦନ୍ତ ହେବାର ଯଥେଷ୍ଟ ଆବଶ୍ୟକତା ରହିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details