ବୌଦ୍ଧ: ନବଦିନାତ୍ମକ ଯାତ୍ରାରେ ଅଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଏନେଇ ଚଳଚଞ୍ଚଳ ମାଉସୀ ମା ମନ୍ଦିର । ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ ମଧ୍ୟରେ ଜନ୍ମ ବେଦୀ ହରିବୋଲ ହୁଳହୁଳିରେ ଫାଟି ପଡୁଛି। ଆଉ ଏଭଳି ସମୟରେ ଜଣେ ଶତାୟୁ ଶ୍ରଦ୍ଧାଳୁଙ୍କ ରଥ ପଥ ପ୍ରତି ଅନାବିଳ ଭକ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତେବେ ଜିଲ୍ଲାର ସଦର ମହକୁମାର ଐତିହାସିକ ଶ୍ରୀଜଗନ୍ନାଥ ମନ୍ଦିରରେ ପୂଜିତ ଶ୍ରୀଜିଉଙ୍କ ବିଗ୍ରହ ଦୁର୍ଲଭ ଚନ୍ଦନ କାଠରେ ନିର୍ମିତ ହୋଇ ଥିବାରୁ ଏଠାରେ କେବେ ମଧ୍ୟ ନବକଳେବର ହୋଇ ନଥାଏ । ସେହିପରି ଶତାଧିକ ବର୍ଷ ପୂର୍ବରୁ ନିର୍ମିତ ହୋଇଥିବା ବୌଦ୍ଧ ର ସ୍ବତନ୍ତ୍ର ଘୂର୍ଣ୍ଣାୟମାନ ରଥକୁ ଘୋଷଯାତ୍ରା ପରେ ଭଙ୍ଗା ଯାଏନାହିଁ । ଏଣୁ ବୌଦ୍ଧ ଅଭଙ୍ଗ ରଥର ଦର୍ଶନ ପାଇଁ ବିଭିନ୍ନ ଅଞ୍ଚଳର ଶ୍ରଦ୍ଧାଳୁ ଆସିଥାନ୍ତି ।
ବୌଦ୍ଧର ପ୍ରସିଦ୍ଧ ଘୂର୍ଣ୍ଣାୟମାନ ରଥକୁ ଶତାଧିକ ବର୍ଷ ପୂର୍ବରୁ ଥିବା ଶଗଡି ରଥକୁ ପରିବର୍ତ୍ତନ କରାଯାଇଥିଲା । ବୌଦ୍ଧ ଗଡଜାତର ଶେଷ ରାଜା ନାରାୟଣ ପ୍ରସାଦ ଦେବରାଜ ସିଂହାସନ ଆରୋହଣ ପରେ ପ୍ରାଥମିକ ପଦକ୍ଷେପ ସ୍ବରୂପ ଏହି ବିରଳ ରଥ ନିର୍ମାଣ କରାଇଥିଲେ । ଏହି ଘୂର୍ଣ୍ଣାୟମାନ ରଥକୁ କେବଳ ମରାମତି କରାଯାଉଥିବା ବେଳେ ବର୍ତ୍ତମାନ ଏହା ଅତ୍ୟନ୍ତ ବିପଦ ଶଙ୍କୁଳ ହୋଇ ପଡିଛି । ରଥର ସମସ୍ତ ଭାର ଦଶଟି ଚକ ଉପରେ ରହିଥିବା ବେଳେ ତଳ ଚଉତରାର ଅଧିକାଂଶ ବାହି,ଅଖ,ଖମ୍ବ ନଷ୍ଟ ହେବାକୁ ବସିଛି । ଏହାଛଡା ବନ୍ଧଣ କାଠରେ ନିର୍ମିତ ତୁମ୍ବ ମଧ୍ୟ ଦୁର୍ବଳ ହୋଇ ପଡିଲାଣି । କାରଣ ଉପର ଘୂର୍ଣ୍ଣାୟମାନ ରଥର ସମସ୍ତ ଭାର ତଳ ନାହକ,ଚଉତରା ଓ ତୁମ୍ବ ଉପରେ ନ୍ୟସ୍ତ ରହିଥାଏ ।