ବୌଦ୍ଧ:ଆଡପ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେଲେ ବଡ ଠାକୁର । ପ୍ରଥମ ଦିନରେ ଠାକୁର ମତ୍ସ୍ୟ, କତ୍ସ୍ୟ ବେଶରେ ଦର୍ଶନ ଦେଇଥିଲେ ।ସେପଟେ ଠାକୁରଙ୍କ ଆଡପ ମଣ୍ଡପରେ ଦର୍ଶନ ଆରମ୍ଭ ହେବା ସମୟରେ ଜିଲ୍ଲାକୁ ଛୁଇଁଲା ମୌସୁମୀ ବର୍ଷା । ଏଣୁ ଭକ୍ତ ଓ ଶ୍ରଦ୍ଧାଳୁ ଆନନ୍ଦର ସହିତ ବର୍ଷାରେ ଭିଜି ଭିଜି ଆସି ଠାକୁରଙ୍କ ବେଶ ଦର୍ଶନ କରିଛନ୍ତି ।
ବୌଦ୍ଧରେ ପ୍ରଭୁ ଶ୍ରୀଜଗନ୍ନାଥ ମାଉସୀ ମା’ ମନ୍ଦିରର ଆଡପ ମଣ୍ଡପରେ ବଡ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହିତ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି । ପ୍ରଥମ ଦିନରେ ଠାକୁର ମତ୍ସ୍ୟ ଓ କତ୍ସ୍ୟ ବେଶ ଧାରଣ କରିଥିବା ବେଳେ ବଡ ଠାକୁରଙ୍କ ବେଶ ଦର୍ଶନ ପାଇଁ ବିଭିନ୍ନ ମାଉସୀ ମା’ ମନ୍ଦିରରେ ଭକ୍ତ ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହୋଇଥିଲା । କାଳିଆ ସାଆନ୍ତେଙ୍କ ଆଡପ ମଣ୍ଡପରେ ବେଶ ଦର୍ଶନ ଆରମ୍ଭ ହୋଇଛି । ଚତୁର୍ଦ୍ଧା ବିଗ୍ରହଙ୍କ ବେଶ ଦର୍ଶନ ପାଇଁ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ମାଉସୀ ମା’ ମନ୍ଦିରରେ ଭକ୍ତ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା । ବୌଦ୍ଧ ଜିଲ୍ଲା ସଦର ମହକୁମା ସମେତ ଠିଡିକାଯୋର, ପୁରୁଣାକଟକ, ତିଲେଶ୍ବର, ହରଭଙ୍ଗା, ରାମଗଡ, ସାହାଜପାଲ, ନାରାୟଣନଗର, ବାଉଁଶୁଣୀ, ବହିରା, ଦହ୍ୟା, ମନମୁଣ୍ଡା, ପଲସାଗୋରା, କଣ୍ଟାମାଳ, ଘଣ୍ଟାପଡା ଭଳି ଅନେକ ସ୍ଥାନରେ ଠାକୁରଙ୍କ ବେଶ ଦର୍ଶନ ନିମନ୍ତେ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।