ବୌଦ୍ଧ:ପାଖେଇ ଆସୁଛି ମହାପ୍ରଭୁଙ୍କ ଘୋଷଯାତ୍ରା । ଏନେଇ ଜିଲ୍ଲାର ବିଭିନ୍ନ ଶ୍ରୀଜଗନ୍ନାଥ ପୀଠ ନିକଟରେ ଥିବା ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇସାରିଛି । ତେବେ ପଶ୍ଚିମ ଓଡିଶାର ସର୍ବବୃହତ ରଥ ନିମନ୍ତେ ପ୍ରଶାସନର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି । ଦୁଇ ଥାକିଆ ଘୂର୍ଣ୍ଣୟମାନ ରଥ ସମ୍ପୂର୍ଣ୍ଣ ବିରଳ ହୋଇଥିବା ବେଳେ ଗଡଜାତ ଶାସନ କାଳରେ ନିର୍ମିତ ଏଭଳି ଅଦ୍ଭୁତ ରଥ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ।
ଆଉ ଦିନ କେଇଟା ପରେ ପ୍ରଭୁ ଶ୍ରୀଜଗନ୍ନାଥ ମୁଖ୍ୟ ମନ୍ଦିରରୁ ବାହାରି ନବ ଦିନାତ୍ମକ ଯାତ୍ରାରେ ମାଉସୀ ଘରକୁ ବିଜେ କରିବେ । ଆଉ ଏହି ନବ ଦିନାତ୍ମକ ଘୋଷଯାତ୍ରା ନିମନ୍ତେ ବୌଦ୍ଧ ଜିଲ୍ଲାର ବିଭିନ୍ନ ଶ୍ରୀଜଗନ୍ନାଥ ମନ୍ଦିରରେ ସ୍ବତନ୍ତ୍ର ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ବିଶେଷ ଭାବରେ ଶ୍ରୀଜଗନ୍ନାଥ ମନ୍ଦିର ନିକଟରେ ଥିବା ରଥଖଳା ବର୍ତ୍ତମାନ ବେଶ ଚଳଚଞ୍ଚଳ ହୋଇ ଉଠିଛି । ତେବେ ପଶ୍ଚିମ ଓଡିଶାର ସର୍ବବୃହତ ରଥ ଭାବରେ ପରିଚିତ ବୌଦ୍ଧର ଅଭଙ୍ଗ ରଥର ମରାମତି କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇସାରିଛି । ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକରେ ଥିବା ଶତାଧିକ ମନ୍ଦିରରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ବିଭିନ୍ନ ନାମରେ ପୂଜାର୍ଚ୍ଚନା କରାଯାଇଥାଏ ।
ବୌଦ୍ଧ ଜିଲ୍ଲା ସଦର ମହକୁମାରେ ଥିବା ଶ୍ରୀଜଗନ୍ନାଥ ମନ୍ଦିର ରାଜବାଟୀର ଗଡଖାଇ ଓ ମହାନଦୀର ମଧ୍ୟବର୍ତ୍ତୀ ସ୍ଥାନରେ ଉତ୍କଳୀୟ ସ୍ଥାପତ୍ୟ ନିଦର୍ଶନରେ ନିର୍ମାଣ ହୋଇଛି । ଶ୍ରୀଜଗନ୍ନାଥଙ୍କ ପୀଠଟି ଦୁଇ ଶହ ବର୍ଷରୁ ଅଧିକ ସମୟ ପୂର୍ବରୁ ନିର୍ମାଣ ହୋଇଥିଲେ ମଧ୍ୟ ପରିଦୃଶ୍ୟମାନ ମନ୍ଦିରଟି ଉନବିଂଶ ଶତାବ୍ଦୀର ଶେଷ ଭାଗରେ ଭଞ୍ଜ ବଂଶୀୟ ରାଜା ଯୋଗୀନ୍ଦ୍ରଦେବଙ୍କ ରାଜତ୍ଵରେ ସମ୍ପୂର୍ଣ୍ଣ ହୋଇଥିଲା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ମନ୍ଦିର ଗର୍ଭ ଗୃହରେ ପୂଜିତ ଚତୁର୍ଦ୍ଧା ବିଗ୍ରହ ସମ୍ପୂର୍ଣ୍ଣ ଦୁର୍ଲଭ ଚନ୍ଦନ କାଠରେ ନିର୍ମିତ । ଏଣୁ ବୌଦ୍ଧର ଶ୍ରୀବିଗ୍ରହ ଗୁଡିକର ନବକଳେବର କେବେ ମଧ୍ୟ ହୋଇନଥାଏ ।