ବୌଦ୍ଧ: ଜିଲ୍ଲାରେ ବାଦଲଫଟା ବର୍ଷାରେ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ସହିତ ଅନେକ ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ବିଭିନ୍ନ ସ୍ଥାନରେ ବର୍ଷା ପାଣି ପଶିଯିବାରୁ ରୋଗୀ ଓ କର୍ମଚାରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।
ଜିଲ୍ଲାରେ ତିନି ଦିନ ଧରି ବର୍ଷା ଲାଗି ରହିବା ଫଳରେ ମହାନଦୀ ସମେତ ତେଲନଦୀ, ସାଲୁଙ୍କୀ, ବାଘନଦୀ ଓ ବିଭିନ୍ନ ନଦୀନାଳ ଫୁଲି ଉଠିଛି । ସମ୍ଭାବ୍ୟ ବନ୍ୟା ପରିସ୍ଥିତି ଯୋଗୁଁ ନଦୀ କୂଳିଆ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଜିଲ୍ଲାର ବିଭିନ୍ନ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ବେଳେ ବଲାସିଙ୍ଘା ଓ ତେଲିବନ୍ଧ ନିକଟରେ 57 ନମ୍ବର ଜାତୀୟ ରାଜପଥ ଉପରେ ବନ୍ୟା ପାଣି ପ୍ରବାହିତ ହୋଇଥିଲା । ତେବେ ଲଗାଣ ବର୍ଷା ଯୋଗୁଁ ବର୍ଷା ପାଣି ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ବିଭିନ୍ନ ସ୍ଥାନରେ ପଶିଯିବାରୁ ରୋଗୀ ଓ କର୍ମଚାରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିବାବେଳେ ଜିଲ୍ଲା ରେଜିଷ୍ଟ୍ରି କାର୍ଯ୍ୟାଳୟ ଭିତରେ ଆଣ୍ଠୁଏ ଉଚ୍ଚର ବର୍ଷା ପାଣି ପଶି ଯାଇଥିଲା ।