ବୌଦ୍ଧ:ସପ୍ତମ ଦିନରେ ଅମଲାଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ । ୪୨୦୦ଟଙ୍କା ଗ୍ରେଡ ପେ ଓ ଲେଭେଲ-୯କୁ ବୃଦ୍ଧି ଦାବିରେ ରାଜ୍ୟବ୍ୟାପୀ ଅମଲାମାନେ ସମୂହ ଛୁଟିରେ ରହିଛନ୍ତି । ବୌଦ୍ଧ ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବ ପ୍ରଥମ ଦିନରୁ ଦେଖିବାକୁ ମିଳିଥିଲା । ଜିଲ୍ଲାରେ ଏନଜିଓ ସିସି, ସରକାରୀ କର୍ମଚାରୀ ସଂଘ, ବନ ସେବା ସଂଘ ଭଳି ଅନେକ ସଂଘ ଏକତ୍ରିତ ହୋଇ ମିଳିତ ଅମଲା ମଞ୍ଚ ମାଧ୍ୟମରେ ସମୂହ ଛୁଟିରେ ରହିଛନ୍ତି । ଏଥି ସହିତ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି । ଏହି ଆନ୍ଦୋଳନରେ ଜିଲ୍ଲା କଲେକ୍ଟେରିଏଟ ସମେତ ସମସ୍ତ ଜିଲ୍ଲା ସ୍ତରୀୟ କାର୍ଯ୍ୟାଳୟ, ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକ,ତହସିଲର ସମସ୍ତ ଅମଲା କର୍ମଚାରୀ ମାନେ ଏଥିରେ ସାମିଲ ହୋଇଛନ୍ତି ।
ଅମଲା ମାନଙ୍କ ଆନ୍ଦୋଳନ ଯୋଗୁଁ ସାଧାରଣ ହିତାଧିକାରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଶହ ଶହ ଅମଲାଙ୍କ ଛୁଟି ଯୋଗୁଁ ପ୍ରତ୍ୟେକ ସରକାରୀ କାର୍ଯ୍ୟାଳୟ ଖୋଲା ଥିଲେ ମଧ୍ୟ ଉନ୍ନୟନ କାର୍ଯ୍ୟ ସମ୍ପୂର୍ଣ୍ଣ ଠପ ହୋଇ ପଡିଛି । କେବଳ ବିଭାଗୀୟ ଅଧିକାରୀ ନନ ଷ୍ଟାଫ, ଆଉଟ ସୋର୍ସିଂ କର୍ମଚାରୀଙ୍କ ମାଧ୍ୟମରେ କିଛିଟା କାର୍ଯ୍ୟ ହେଉଥିଲେ ମଧ୍ୟ ଅଧିକାଂଶ କାର୍ଯ୍ୟ ଆଦୌ ଆଗେଇ ପାରୁନାହିଁ । ଜିଲ୍ଲାର ଶହ ଶହ ଅମଲା 42 ଶହ ଗ୍ରେଡପେ ଦାବିରେ ଅଡି ବସିବା ସହିତ ଏହାର ସମାଧାନ ନ ହେଲା ପର୍ଯ୍ୟନ୍ତ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ସିଧାସଳଖ ଚେତାବନୀ ଦେଇଛନ୍ତି ।