ବୌଦ୍ଧ: ଜନସାଧରଣଙ୍କୁ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେବାକୁ ରାଜ୍ୟରେ ଅନେକ ଯୋଜନା କାର୍ଯ୍ୟ କରୁଛି । ହେଲେ ବିଡମ୍ବନାର ବିଷୟ, ଆଜି ବି ଦୁର୍ଗମ ଅଞ୍ଚଳରେ ଅପହଞ୍ଚ ରହିଛି ଏହିସବୁ କଲ୍ୟାଣକାରୀ ଯୋଜନା । ସେଭଳି ଏକ ଉପାନ୍ତ ଅଞ୍ଚଳ ହେଉଛି ବୌଦ୍ଧ ଜିଲ୍ଲାର ସୀମାନ୍ତ ତଥା ଉପାନ୍ତ ଶଗଡା ପଞ୍ଚାୟତ । ସମୁଦାୟ 43 ଗୋଟି ଗ୍ରାମକୁ ନେଇ ଗଠିତ ଏହି ସୀମାନ୍ତ ପଞ୍ଚାୟତର ଅନେକ ଗାଁକୁ ବାଘ ନଦୀ ଓ ଅନ୍ୟ ପାହାଡି ଝରଣା ବିଛିନ୍ନ କରି ରଖିଥାଏ ।
ଗମନାଗମନର ଅବ୍ୟବସ୍ଥା ହେତୁ ଶଗଡା ପଞ୍ଚାୟତ ଅଧିକାଂଶ ଅଞ୍ଚଳରେ ସରକାରଙ୍କ କଲ୍ୟାଣକାରୀ ଯୋଜନା ଠିକ୍ ଭାବେ ପହଞ୍ଚି ପାରିନାହିଁ । ତେବେ ରାଜ୍ୟ ସରକାରଙ୍କ ଉଦ୍ୟମରେ କନପା ଠାରେ କେରାଣ୍ଡି ନାଳ ଉପରେ ଏକ ସେତୁ ନିର୍ମାଣ ହୋଇଥିବା ବେଳେ ଆହୁରି ଅନେକ ଅଞ୍ଚଳରେ ରାସ୍ତା ନଥିବା ଯୋଗୁଁ ଆମ୍ବୁଲାନ୍ସ ସେବା ଅପହଞ୍ଚ ରହିଛି । ଏହି ପରିପ୍ରେକ୍ଷୀରେ ସୋମବାର ବୌଦ୍ଧର ନୂତନ ଜିଲ୍ଲାପାଳ ଓ ଏସପିଙ୍କ ସମେତ ସମସ୍ତ ପ୍ରଶାସନିକ ଅଧିକାରୀ ଶଗଡା ଠାରେ ପହଞ୍ଚି ଜନଶୁଣାଣୀ(Public Hearing in Sagada) କରିଥିଲେ ।