ବୌଦ୍ଧ: ଜିଲ୍ଲାର ଉପାନ୍ତ ଅଞ୍ଚଳରେ ପହଞ୍ଚି ପାରୁନି ସ୍ବାସ୍ଥ୍ୟ ସେବା । ଜିଲ୍ଲା ରେଡକ୍ରସ ପାଣ୍ଠି ବୃଦ୍ଧି ପାଇଁ ପ୍ରଶାସନ ଦ୍ବାରା ହୋଇଥିବା ଅପିଲକୁ ନେଇ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ରେଡକ୍ରସ ଭଳି ସଂସ୍ଥାକୁ ନେଇ ସମସ୍ତେ ସହଯୋଗ କରିବାକୁ କହିଛନ୍ତି ବୁଦ୍ଧିଜୀବୀ ।
ବୌଦ୍ଧ ଜିଲ୍ଲାର ଉପାନ୍ତ ଅଞ୍ଚଳରେ ପହଞ୍ଚି ପାରୁନି ସ୍ବାସ୍ଥ୍ୟ ସେବା । ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକର ଶତାଧିକ ଗ୍ରାମକୁ ଗମନାଗମନର ଅବ୍ୟବସ୍ଥା ହେତୁ ସେଠାରେ ଆଜି ପର୍ଯ୍ୟନ୍ତ ଆମ୍ବୁଲାନ୍ସ ସେବା ପହଞ୍ଚି ପାରିନାହିଁ । ତେଣୁ ଅଦ୍ୟାବଧି ଏଭଳି ଅନେକ ଉପାନ୍ତ ଅଞ୍ଚଳରେ ସ୍ବାସ୍ଥ୍ୟ ସେବା ଠିକରେ ମିଳିପାରୁ ନଥିବା କାରଣରୁ ଅନେକ ଲୋକ କ୍ବାକ ହାବୁଡ଼ରେ ପଡୁଛନ୍ତି । ତେବେ ଏଭଳି ଉପାନ୍ତ ଅଞ୍ଚଳର ଅସହାୟ, ରୋଗୀ, ସାମାଜିକ ସୁରକ୍ଷାରୁ ବଞ୍ଚିତ ଅଧିବାସୀଙ୍କ ପାଇଁ ଜିଲ୍ଲା ପ୍ରଶାସନର ରେଡକ୍ରସ ସହାୟତା ସବୁଠାରୁ ବଡ ସାହାଯ୍ୟ ହୋଇ ରହିଆସିଛି ।
ପ୍ରତ୍ୟେକ ମାସରେ ବୌଦ୍ଧ ଜିଲ୍ଲା ପ୍ରଶାସନ ଏହି ରେଡକ୍ରସ ପାଣ୍ଠିରୁ ଲକ୍ଷାଧିକ ଟଙ୍କା ଏଭଳି ଅସହାୟ ଲୋକଙ୍କୁ ଯୋଗାଇଥାଏ । ତେବେ ବର୍ତ୍ତମାନ ବୌଦ୍ଧ ଜିଲ୍ଲାପାଳ ଏହି ରେଡକ୍ରସ ପାଣ୍ଠି ବୃଦ୍ଧି ପାଇଁ ଭେଷଜ ନିରୀକ୍ଷକଙ୍କୁ ଏକ ପତ୍ର ପଠାଇଥିବା ସାମାଜିକ ଗଣମାଧ୍ୟମରେ ଜଣାପଡିବା ପରେ ଏନେଇ ଜିଲ୍ଲାରେ ବିଭିନ୍ନ ଚର୍ଚ୍ଚା ଜାରି ରହିଛି । ସେପଟେ ରେଡକ୍ରସ ଭଳି ସଂସ୍ଥାର ପାଣ୍ଠି ବୃଦ୍ଧି ସପକ୍ଷରେ ଅନେକ ସ୍ବେଚ୍ଛାସେବୀ ଓ ବୁଦ୍ଧିଜୀବୀ ମତ ପ୍ରକାଶ କରିଥିବା ବେଳେ ଏଭଳି ସରକାରୀ ଚିଠି କିଭଳି ସାମାଜିକ ଗଣମାଧ୍ୟମକୁ ଆସିଲା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେପଟେ ଜିଲ୍ଲାରେ ପୂର୍ବରୁ ରେଡକ୍ରସ ଜରିଆରେ ରକ୍ତ ଭଣ୍ଡାର ଚାଲିଥିବା ବେଳେ ବର୍ତ୍ତମାନ ତାହା ସିଧାସଳଖ ରାଜ୍ୟ ସରକାରଙ୍କ କର୍ତ୍ତୃତ୍ବାଧିନ ରହିଥିବାରୁ ଜିଲ୍ଲାର କଣ୍ଟାମାଳ ଓ ହରଭଙ୍ଗା ବ୍ଲକରେ ମଧ୍ୟ ରକ୍ତ ଭଣ୍ଡାର ଖୋଲାଯିବାକୁ ବୁଦ୍ଧିଜୀବୀ ଦାବି କରିଛନ୍ତି ।