ବୌଦ୍ଧ:ବନ୍ୟା ମୁକାବିଲା ନିମନ୍ତେ ପ୍ରଶାସନ ତରଫରୁ ଆରମ୍ଭ ହୋଇଛି ଆଗୁଆ ପ୍ରସ୍ତୁତି । ବୌଦ୍ଧ ଜିଲ୍ଲାର 24ଟି ପଞ୍ଚାୟତକୁ ନେଇ ଗଠିତ ହୋଇଥିବା କଣ୍ଟାମାଳ ବ୍ଲକର ଅଧିକାଂଶ ପଞ୍ଚାୟତ ତେଲନଦୀର ଅବବାହିକାରେ ରହିଛି । ତେବେ ଲୋକଙ୍କ ଜୀବନ ରେଖା କୁହାଯାଉଥିବା ତେଲନଦୀ ବର୍ଷା ଦିନରେ ପୁଣିଥରେ ଲୋକଙ୍କ ଦୁଃଖ ପାଲଟିଯାଏ । ପ୍ରତ୍ୟେକ ବର୍ଷ ତେଲନଦୀରେ ବନ୍ୟାଜଳ ଆସି କଣ୍ଟାମାଳ ବ୍ଲକର ବିଭିନ୍ନ ଅଞ୍ଚଳ ଜଳାର୍ଣ୍ଣବ ହେବା ସହ ବିଛିନ୍ନ ହୋଇ ରହିଥାଏ । ତେବେ ବ୍ଲକରେ ଏକ ମାତ୍ର ବନ୍ୟା ଆଶ୍ରୟସ୍ଥଳୀ କୁଳୁତାଯୋ ରଠାରେ ରହିଛି । ଅନ୍ୟାନ୍ୟ ବନ୍ୟା ପ୍ରଭାବିତ ଅଞ୍ଚଳର ଅଧିବାସୀ ଏହାଦ୍ବାରା ଗଭୀର ଭାବରେ ପ୍ରଭାବିତ ହୋଇଥାନ୍ତି । ଏଣୁ କଣ୍ଟାମାଳ ବ୍ଲକର ମନମୁଣ୍ଡା, ପଲସାଗୋରା ଓ କଣ୍ଟାମାଳଠାରେ ମଧ୍ୟ ଆଉ 3ଟି ବନ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ କଣ୍ଟାମାଳ ବ୍ଲକ ଅଧ୍ୟକ୍ଷା ପ୍ରକାଶ କରିଛନ୍ତି ।
ବର୍ଷା ଦିନ ଆସିଲେ ମନେପଡେ ନଦୀକୂଳିଆ ଲୋକଙ୍କ ଦୁଃଖ । ପ୍ରତ୍ୟେକ ବର୍ଷ ଏଭଳି ବନ୍ୟାଞ୍ଚଳବାସୀ ବାହ୍ୟ ଜଗତରୁ ବିଚ୍ଛିନ୍ନ ରହୁଥିବାବେଳେ ସମନ୍ୱୟ ଅଭାବରୁ ଅଞ୍ଚଳରେ ସମସ୍ୟା ବଢିଯାଇଥାଏ । ଏହାର ପ୍ରତିକାର ନିମନ୍ତେ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିଭଳି ଲୋକଙ୍କୁ ସହାୟତା କରାଯିବ ତାହା ଉପରେ ପ୍ରାଥମିକତା ଦିଆଯାଇଛି । ଏଥି ନିମନ୍ତେ ଦୀର୍ଘ ମିଆଦୀ ଯୋଜନାର ଅଭାବ କାରଣରୁ ପ୍ରତ୍ୟେକ ବର୍ଷ ଏଭଳି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳେ।
ବୌଦ୍ଧ ଜିଲ୍ଲା ଦେଇ ମହାନଦୀ ସମେତ ତେଲନଦୀ, ସାଲୁଙ୍କୀ, ବାଘନଦୀ ସମେତ ଅନେକ ପାହାଡି ନଦୀନାଳ ପ୍ରଵାହିତ ହେଉଛି । ତେବେ ପ୍ରତ୍ୟେକ ବର୍ଷ ଏସବୁ ନଦୀନାଳରେ ବନ୍ୟାଜଳ ଆସୁଥିବାରୁ ନଦୀକୂଳିଆ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟୁଛି । ସେହିପରି ମହାନଦୀ କୂଳରେ ଅବସ୍ଥିତ ବୌଦ୍ଧ ଓ ହରଭଙ୍ଗା ବ୍ଲକର ବିଭିନ୍ନ ଅଞ୍ଚଳରେ ପ୍ରତ୍ୟେକ ବର୍ଷ ବନ୍ୟାଜଳ ଯୋଗୁଁ କ୍ଷତି ହୋଇଥାଏ । ବୌଦ୍ଧ ବ୍ଲକର ବାଉଁଶୁଣୀ, ବହିରା, ତେଲବନ୍ଧ ପଞ୍ଚାୟତର ବିଭିନ୍ନ ନଦୀକୂଳିଆ ଗ୍ରାମ ଓ ହରଭଙ୍ଗା ବ୍ଲକର ସରସରାଠାରୁ ନେଇ କୁଶଙ୍ଗ ପଞ୍ଚାୟତର ବିଭିନ୍ନ ଅଞ୍ଚଳ ବନ୍ୟାଜଳ ଘେରରେ ରହିଥାଏ ।