ବୌଦ୍ଧ: ସମବାୟ ସମିତିର ସଭାପତି ପାଇଁ ସରିଲା ମତଦାନ । ଆଉ ମତଦାନ ସରୁ ସରୁ ସଦସ୍ୟ ମାନଙ୍କୁ ଉଠାଇନେଲା ପୋଲିସ । ଦୁଇ ଗୋଷ୍ଠୀର ବିବାଦ ଯୋଗୁଁ ପୋଲିସ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ସୂଚନା ମିଳିଛି । ଏଭଳି ଘଟଣା ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ବିଳାସପୁର ସମବାୟ ସମିତିରେ ଘଟିଛି । ସୂଚନା ମୁତାବକ ବିଳାସପୁର ସମବାୟ ସମିତିର ସଭାପତି ପଦ ପାଇଁ ୨ ଗୋଷ୍ଠୀ ମଧ୍ୟରେ ନିର୍ବାଚନ ପୂର୍ବରୁ ଗଣ୍ଡଗୋଳ ସୂତ୍ରପାତ ହୋଇଥିଲା ।
ଏହାକୁ ନେଇ ମନମୁଣ୍ଡା ପୋଲିସ ଗୋଟିଏ ଗୋଷ୍ଠୀର ଜଣଙ୍କୁ ଗିରଫ କରିଥିବାବେଳେ, ଶୁକ୍ରବାର ସଭାପତି ପଦ ପାଇଁ ନିର୍ବାଚନ ହୋଇଥିଲା । ସମିତିରେ ସମୁଦାୟ ୧୪ ଜଣ ଭୋଟରଙ୍କ ମଧ୍ୟରୁ ୧୨ଟି ମତଦାନ ହୋଇଥିବାବେଳେ ୯ଟି ଭୋଟ ପାଇ ପ୍ରଭାସ କ୍ଷେତୀ ସଭାପତି ରୂପେ ନିର୍ବାଚିତ ହୋଇଥିଲେ ।