ଓଡିଶା

odisha

ETV Bharat / state

ଶିକାର ବେଳେ ଗୁଳି ବାଜି ସାଥୀ ଶିକାରୀ ଗୁରୁତର

ବନ୍ୟଜନ୍ତୁ ସୁରକ୍ଷା ସପ୍ତାହ ପାଳନର ଶେଷ ଦିନରେ ବୌଦ୍ଧର ଏକ ଜଙ୍ଗଲରେ ଫୁଟିଲା ଗୁଳି । ଜଣେ ଶିକାରୀଙ୍କ ଗୁଳିରେ ଆଉ ଜଣେ ଶିକାରୀ ଗୁରୁତର ହୋଇଥିବା ଜଣାପଡିଛି ।

poacher injured in firing in boudh
ଶିକାରୀ ଗୁଳିରେ ଆଉ ଜଣେ ଶିକାରୀ ଗୁରୁତର

By ETV Bharat Odisha Team

Published : Oct 9, 2023, 10:37 PM IST

ଶିକାରୀ ଗୁଳିରେ ଆଉ ଜଣେ ଶିକାରୀ ଗୁରୁତର

ବୌଦ୍ଧ: ଶିକାରୀ ଗୁଳିରେ ଆଉ ଜଣେ ଶିକାରୀ ଗୁରୁତର । ବନ୍ୟଜନ୍ତୁ ସୁରକ୍ଷା ସପ୍ତାହ ପାଳନର ଶେଷ ଦିନରେ ବୌଦ୍ଧ ଜିଲ୍ଲାର ସୀମାନ୍ତ ଜଙ୍ଗଲରେ ଫୁଟିଛି ଗୁଳି । ଶିକାର କରିବାକୁ ଯାଇଥିବା ଦୁଇ ଶିକାରୀଙ୍କ ମଧ୍ୟରୁ ଜଣଙ୍କ ଦେହରେ ଗୁଳି ବାଜିଥିବା ଜଣାପଡିଛି। ଜଙ୍ଗଲ ମନ୍ତ୍ରୀଙ୍କ ଜିଲ୍ଲାରେ ବାରମ୍ବାର ବନ୍ୟଜନ୍ତୁଙ୍କ ଶିକାରକୁ ନେଇ ପରିବେଶପ୍ରେମୀ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ସୂଚନା ଅନୁସାରେ, ବୌଦ୍ଧ ଜିଲ୍ଲାର ସୀମାନ୍ତ ଜଙ୍ଗଲରେ କୁଟୁରା ଶିକାର ପାଇଁ ଯାଇଥିଲେ ଶିକାରୀ। ଏହି ସମୟରେ ଜଣେ ଶିକାରୀଙ୍କ ଅସାବଧାନତା ଯୋଗୁଁ ବନ୍ଧୁକରୁ ଗୁଳି ଫୁଟି ଅନ୍ୟ ଜଣେ ଶିକାରୀ ଗୁରୁତର ହୋଇଛନ୍ତି ।

ସୂଚନା ଅନୁସାରେ, ମାଧପୁର ବନାଞ୍ଚଳର ବଦଲାସାହି ଗ୍ରାମର ରମେଶ ପ୍ରଧାନ ଓ ସନ୍ୟାସୀ ଜାନୀ କୁଟୁରା ଶିକାର ପାଇଁ ଏକ ଦେଶୀ ବନ୍ଧୁକ ନେଇ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରେ ଶନିବାର ରାତିରେ ପ୍ରବେଶ କରିଥିଲେ । ସେଠାରେ କୁଟୁରା ଶିକାର ପାଇଁ ପ୍ରସ୍ତୁତି ଚଳାଇବା ସମୟରେ ହଠାତ୍ ରମେଶଙ୍କ ବନ୍ଧୁକରୁ ଗୁଳିଫୁଟି ସନ୍ୟାସୀ ଜାନୀଙ୍କ ଜଙ୍ଘରେ ବାଜିଥିଲା । ଘଟଣା ସମ୍ପର୍କରେ କାହାକୁ ସୂଚନା ନଦେଇ ପରିବାର ଲୋକେ ସନ୍ୟାସୀଙ୍କୁ ପ୍ରଥମେ ଦଶପଲ୍ଲା ଓ ପରେ ନୟାଗଡ଼ ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।


ଜିଲ୍ଲାର ବିଭିନ୍ନ ଜଙ୍ଗଲ ଅଞ୍ଚଳରେ ବନ୍ୟଜନ୍ତୁ ଶିକାରୀ ସକ୍ରିୟ ରହିଛନ୍ତି। ଏଭଳି ଶିକାରୀଙ୍କୁ ଧରିବାକୁ ଜଙ୍ଗଲ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ ସତ୍ତ୍ବେ ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳରେ ଜନସଚେତନତା ଅଭାବରୁ ବାରମ୍ବାର ବନ୍ୟଜନ୍ତୁଙ୍କ ଶିକାର ଅବାଧରେ ଚାଲୁଛି । ୫ଟି ବନାଞ୍ଚଳର ବିଭିନ୍ନ ସ୍ଥାନରେ ଜଙ୍ଗଲ ସମ୍ପଦ ବିପଦରେ ରହିଛି । ତେବେ ସ୍ଥାନୀୟ ଶିକାରୀ ବନ୍ୟଜନ୍ତୁଙ୍କ ମାଂସ ଓ ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ପାଇଁ ଅନେକ ସମୟରେ ଜଙ୍ଗଲ ଶିକାର କରୁଛନ୍ତି । ହାତୀ ଦାନ୍ତ, ବଜ୍ରକାପ୍ତା,ବାଘ, ହରିଣ ଆଦି ଶିକାର ହେଉଥିବାର ଖବର ଆସୁଛି ।

ଏହା ବି ପଢନ୍ତୁ...ବୌଦ୍ଧରେ ୬୯ ତମ ବନ୍ୟପ୍ରାଣୀ ସଂରକ୍ଷଣ ସପ୍ତାହ ପାଳିତ

ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବନ୍ୟଜନ୍ତୁ ଶିକାରୀମାନେ ପୁଣିଥରେ ସକ୍ରିୟ ହୋଇଉଠିଛନ୍ତି । ଗତ ସପ୍ତାହରେ ବୌଦ୍ଧ ଜିଲ୍ଲାରେ ବନଖଣ୍ଡ ବିଭାଗ ପକ୍ଷରୁ ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ ପାଳନ କରାଯାଇଥିଲା । ଗତ ରବିବାର ଏହା ଉଦଯାପିତ ହୋଇଥିବାବେଳେ ଠିକ ଏହି ସମୟରେ ଜିଲ୍ଲାର ସୀମାନ୍ତରେ ବନ୍ୟଜନ୍ତୁ ଶିକାର ସମୟରେ ଅଘଟଣ ଘଟିଛି । ଏ ସମ୍ପର୍କରେ ବନ ବିଭାଗର କର୍ମଚାରୀଙ୍କ ଅବହେଳାକୁ ନେଇ ଉଠିଛି ପ୍ରଶ୍ନବାଚୀ । ଏପର୍ଯ୍ୟନ୍ତ ଆଢେଣୀଗଡ ଫାଣ୍ଡି କିମ୍ବା ପୁରୁଣା କଟକ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ଜଣାପଡ଼ିଛି । ବନ୍ୟପ୍ରାଣୀ ବିଶେଷଜ୍ଞ କହିଛନ୍ତି,ଜିଲ୍ଲା ବାହାରୁ ମଧ୍ୟ ଶିକାରୀମାନେ ଏହି ଅଞ୍ଚଳକୁ ଆସି ଶିକାର କରୁଛନ୍ତି । ତେଣୁ ବ୍ୟାପକ ଜନସଚେତନତା ଉପରେ ଗୁରୁତ୍ୱ ଦିଆଯିବାର ଆବଶ୍ୟକତା ରହିଛି ।"


ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details