ବୌଦ୍ଧ:ପୁଣି ସକ୍ରିୟ ହୋଇ ଉଠିଛନ୍ତି ବନ୍ୟଜନ୍ତୁ ଶିକାରୀ । 4ଟି ବନ୍ଧୁକ ଜବତ କରିବା ସହିତ ଜଣେ ଶିକାରୀକୁ ଗିରଫ କରିଛି ବନ ବିଭାଗ । ଜଙ୍ଗଲରେ ଶିକାରୀମାନଙ୍କ ଅବାଧ ପ୍ରବେଶ ଯୋଗୁଁ ହାତୀ, ବାରହା, ସମ୍ବର ଭଳି ବନ୍ୟପ୍ରାଣୀମାନେ ଜନବସତି ମୁହାଁ ହୋଇ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି । ଶ୍ରାବଣ ମାସ ସରିବା ପରେ ସକ୍ରିୟ ହୋଇ ଉଠିଛନ୍ତି ବନ୍ୟଜନ୍ତୁ ଶିକାରୀ । ଏଣୁ ବନବିଭାଗ ମଧ୍ୟ ଆକ୍ସନ ମୋଡ଼କୁ ଆସିବା ସହିତ ବନ୍ୟଜନ୍ତୁ ଶିକାରୀଙ୍କୁ କାବୁ କରିବା ସହିତ ଦେଶୀ ବନ୍ଧୁକ ଜବତ କରିଥିବା ସୂଚନା ମିଳିଛି ।
ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ବନ୍ୟଜନ୍ତୁ ଶିକାରୀଙ୍କ ଅବାଧ ପ୍ରବେଶ ଯୋଗୁଁ ହାତୀ, ବାରହା, ସମ୍ବର, କୁଟୁରା ଭଳି ବନ୍ୟପ୍ରାଣୀମାନେ ଭୟଭୀତ ଥିବାବେଳେ ଖାଦ୍ୟ ଅନ୍ୱେଷଣରେ ଜନବସତି ମୁହାଁ ହୋଇ ପଡ଼ୁଛନ୍ତି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲା ସହକାରୀ ବନ ସଂରକ୍ଷକ । ସେ କହିଛନ୍ତି, "ବୌଦ୍ଧ ଜିଲ୍ଲାର ବିଭିନ୍ନ ଜଙ୍ଗଲ ଅଞ୍ଚଳରେ ଶିକାରୀମାନେ ବେଆଇନ ଭାବେ ବିଦ୍ୟୁତ ତାର, ଜାଲ ବିଛାଇ ବନ୍ୟଜନ୍ତୁଙ୍କ ଶିକାର କରିବା ଆରମ୍ଭ କରି ଦେଇଛନ୍ତି । ଅନେକ ସ୍ଥାନରେ ଖାଦ୍ୟ ଅଭାବରୁ ମଧ୍ୟ ବନ୍ୟପ୍ରାଣୀମାନେ ଜନବସତି ଆଡ଼କୁ ଚାଲି ଆସି ବ୍ୟାପକ ଫସଲ ନଷ୍ଟ କରୁଥିବା ନେଇ ଅଭିଯୋଗ ହେଉଛି ।"
ସହକାରୀ ବନ ସଂରକ୍ଷକ ଆଶିଷ କୁମାର କହଁର ଆହୁରି ମଧ୍ୟ କହିଛନ୍ତି, "ଏଭଳି କ୍ଷୟକ୍ଷତି ଘଟାଇଥିବା ଅଞ୍ଚଳର ହିତାଧିକାରୀଙ୍କ ପାଇଁ ସରକାର ସହାୟତା ଯୋଗାଇ ଦିଆଯାଉଛି । ଅନେକ ସମୟରେ ବନ୍ୟଜନ୍ତୁ ଓ ମଣିଷଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେଉଛି । ଫଳରେ ଉଭୟ ମଣିଷ ଓ ବନ୍ୟଜନ୍ତୁଙ୍କ କ୍ଷତି ଘଟିବାର ଆଶଙ୍କା ଦେଖା ଦେଉଛି ।" ବନ୍ୟଜନ୍ତୁ ଶିକାର କରୁଥିବା ଶିକାରୀ ଓ ମାଫିଆଙ୍କୁ କାବୁ କରିବାକୁ ବୌଦ୍ଧ ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପ ସ୍ବତନ୍ତ୍ର ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ କରିଥିବା ଜଣାପଡ଼ିଛି ।