ବୌଦ୍ଧର ବିଭିନ୍ନ ସ୍ବାସ୍ଥ୍ଯ କେନ୍ଦ୍ରରେ ରହିଛି ଚିକିତ୍ସକଙ୍କ ଅଭାବ ବୌଦ୍ଧ: ଜିଲ୍ଲାର ଅଧିକାଂଶ ଡାକ୍ତରଖାନାରେ ଡାକ୍ତର ପଦବୀ ଖାଲି ପଡିଛି । ଏହାଛଡା ଜିଲ୍ଲାର ଅନେକ ଉପାନ୍ତ ତଥା ଦୁର୍ଗମ ଅଞ୍ଚଳକୁ ସବୁଦିନିଆ ରାସ୍ତା ଅଭାବରୁ ଆମ୍ବୁଲାନ୍ସ ସେବା ବାଧାପ୍ରାପ୍ତ ହୋଇ ଆସୁଛି । ଆଉ ଏଭଳି ପରିସ୍ଥିତିରେ ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ସେବା ଯୋଗାଉଛନ୍ତି ଫାର୍ମାସିଷ୍ଟ ଓ ଷ୍ଟାଫ ନର୍ସ । ଏମାନଙ୍କ ନିସ୍ବାର୍ଥପର କାର୍ଯ୍ୟ ଯୋଗୁଁ ଚିକିତ୍ସା ପାଇପାରୁଛନ୍ତି ଲୋକେ । ନିସ୍ବାର୍ଥପର ସେବା ପାଇଁ ଏହି ଫାର୍ମାସିଷ୍ଟ ଓ ଷ୍ଟାଫ ନର୍ସଙ୍କୁ ଜିଲ୍ଲା ପ୍ରଶାସନ ସମ୍ମାନିତ କରିଛି ।
ବୌଦ୍ଧ ଜିଲ୍ଲାର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ଆଜି ମଧ୍ୟ ସ୍ବାସ୍ଥ୍ୟ ସେବାକୁ ନେଇ ବିଭିନ୍ନ ସମସ୍ୟା ଲାଗିରହିଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହିତ କଣ୍ଟାମାଳ, ମନମୁଣ୍ଡା,ବାଉଁଶୁଣୀ, ପୁରୁଣାକଟକ ଓ ଆଢେଣୀଗଡ ଭଳି ସ୍ଥାନରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରହିଛି । ଏହାଛଡା ବୌଦ୍ଧ ଜିଲ୍ଲାର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଓ ଉପ ସ୍ବାସ୍ଥ୍ୟ କେନ୍ଦ୍ର ତଥା ଆରୋଗ୍ୟ କେନ୍ଦ୍ର ରହିଛି । ତେବେ ଅନେକ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଭଙ୍ଗା ଦଦରା ଗୃହରେ ଚାଲିଥିବା ବେଳେ ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟ ସେବା ଅତ୍ୟନ୍ତ କଷ୍ଟକର ହୋଇ ପଡୁଛି ।
ବୌଦ୍ଧ ଜିଲ୍ଲାର ଆମ୍ବଗାଁ ଠାରୁ ନେଇ ତଳଗାଁ ପର୍ଯ୍ୟନ୍ତ ଅନେକ ସ୍ଥାନରେ ସ୍ବାସ୍ଥ୍ୟ କେନ୍ଦ୍ର ରହିଥିଲେ ମଧ୍ୟ ଡାକ୍ତରଙ୍କ ଘୋର ଅଭାବ ରହିଛି । ଜିଲ୍ଲାର ସମସ୍ତ ଡାକ୍ତରଖାନାରେ ସମୁଦାୟ 168 ଜଣ ଡାକ୍ତରଙ୍କ ମଧ୍ୟରୁ ବର୍ତ୍ତମାନ ମାତ୍ର 55 ଜଣ ଡାକ୍ତର କାର୍ଯ୍ୟରତ । ଡାକ୍ତର ଅଭାବରୁ ଜିଲ୍ଲାର ସ୍ବାସ୍ଥ୍ୟ ସେବାରେ ବ୍ୟାପକ ସମସ୍ୟା ସୃଷ୍ଟି ହେଉଥିବା ବେଳେ ଏଭଳି ସମୟରେ ଫାର୍ମାସିଷ୍ଟ ଓ ଷ୍ଟାଫ ନର୍ସଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଛି । କାରଣ ବିଭିନ୍ନ ଦୁର୍ଗମ ତଥା ଉପାନ୍ତ ଅଞ୍ଚଳକୁ ଏଭଳି ସ୍ବାସ୍ଥ୍ୟ କର୍ମୀମାନେ ପାଦରେ ଚାଲିଚାଲି ଯାଇ ସ୍ବାସ୍ଥ୍ୟ ସେବା ଯୋଗାଇ ଆସୁଛନ୍ତି ।
ଏଭଳି ଏକ ଉଦାହରଣ ତଳଗାଁ ପଞ୍ଚାୟତରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ପରିଲକ୍ଷିତ ହୋଇଛି । ଏଠାରେ ଦୀର୍ଘ ଦିନ ହେଲା ଡାକ୍ତର ପଦବୀ ଖାଲି ପଡିଥିଲେ ମଧ୍ୟ ସେଠାରେ ଜଣେ ଫାର୍ମାସିଷ୍ଟ ସମସ୍ତ ଦାୟିତ୍ୱ ବହନ କରିଛନ୍ତି । ତଳଗାଁ ଅଞ୍ଚଳର ଅନେକ ଅଞ୍ଚଳକୁ ସବୁଦିନିଆ ରାସ୍ତା ନଥିବାରୁ ଫାର୍ମାସିଷ୍ଟ ବିଭିନ୍ନ ଦୁର୍ଗମ ଅଞ୍ଚଳରେ ପହଞ୍ଚି ଗରିବ ଅସହାୟଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଉଛନ୍ତି । ମ୍ୟାଲେରିଆ ନିରାକରଣ ଠାରୁ ନେଇ ବିଭିନ୍ନ ଟୀକାକରଣ କାର୍ଯ୍ୟକ୍ରମ ସ୍ବଳ୍ପ ସଂଖ୍ୟକ ଡାକ୍ତରଙ୍କ ସହିତ ଫାର୍ମାସିଷ୍ଟ ଓ ଷ୍ଟାଫ ନର୍ସଙ୍କ ଦ୍ବାରା ସମ୍ପାଦିତ ହୋଇ ଆସୁଛି ।
ଇଟିଭି ଭାରତ, ବୌଦ୍ଧ