ବୌଦ୍ଧ: ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ଆକାଶରୁ ଅଗ୍ନି ବର୍ଷା ହେଉଥିବା ବେଳେ ଦିନରେ ଖରାର ଉତ୍ତାପ ଓ ରାତିରେ ଅସହ୍ୟ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ଜିଲ୍ଲାବାସୀ । ପଥପ୍ରାନ୍ତ ବନୀକରଣ ଜିଲ୍ଲାରେ ଏକପ୍ରକାର ଫେଲ ମାରିଥିବା ବେଳେ ବିଭିନ୍ନ ସ୍ଥାନରେ ପାନୀୟଜଳର ଉତ୍କଟ ଅଭାବରୁ ମଣିଷଙ୍କ ସହିତ ପଶୁପକ୍ଷୀମାନେ ମଧ୍ୟ ସନ୍ତୁଳି ହେଉଛନ୍ତି । ପ୍ରଚଣ୍ଡ ଖରା ଯୋଗୁଁ ରାସ୍ତା ଘାଟରେ କର୍ଫ୍ୟୁ ଲାଗିଲା ଭଳି ସୁନସାନ ହୋଇପଡୁଛି । ବିଗତ ମାସେ ହେଲା ବୌଦ୍ଧ ଜିଲ୍ଲାରେ ପାରଦ ପ୍ରାୟ 45 ଡିଗ୍ରୀ ପାଖାପାଖି ରହୁଥିବା ବେଳେ ଅପରାହ୍ନରେ ଆକାଶରୁ ଅଗ୍ନି ବର୍ଷା ଭଳି ଖରାର ଉତ୍ତାପ ରହୁଛି । ଅନେକ ସ୍ଥାନରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ଆଗ୍ନେୟଗିରିର ଲାଭା ଭଳି ରାସ୍ତାର ପିଚୁ ତରଳି ଯାଉଛି ।
ବୌଦ୍ଧ ଦେଇ ମହାନଦୀ ସମେତ ବିଭିନ୍ନ ନଦୀନାଳରେ ଚଳିତ ବର୍ଷ ଆଶାତୀତ ଭାବରେ ଜଳପ୍ରବାହ କମିଥିବା ବେଳେ ଅନେକ ପୋଖରୀ, ନାଳ ସମ୍ପୂର୍ଣ୍ଣ ଶୁଖିଲା ପଡିଛି । ପାନୀୟଜଳର ଅବ୍ୟବସ୍ଥା କାରଣରୁ ଉପାନ୍ତ ଅଞ୍ଚଳରେ ଲୋକେ ଚୂଆଖୋଳି ପାଣି ସଂଗ୍ରହ କରିବାକୁ ମାଇଲ ମାଇଲ ବାଟ ଯିବାକୁ ପଡୁଛି । ପାଣି ମୁନ୍ଦାଏ ପାଇଁ କିଲୋମିଟର କିଲୋମିଟର ବାଟ ଯାଇ ପାଣି ସଂଗ୍ରହ କରିବାକୁ ପଡୁଛି କହିଛନ୍ତି ଗ୍ରାମବାସୀ । ଏପରିକି ଅନେକ ଉପାନ୍ତ ଅଞ୍ଚଳରେ ଶୁଖିଲା ପାହାଡିଆ ନାଳରୁ ଚୂଆ ଖୋଳି ପାଣି ସଂଗ୍ରହ କରିବାକୁ ପଡୁଛି । ପାନୀୟଜଳ ସମସ୍ୟାର ସମାଧାନ ନିମନ୍ତେ ସରକାର ବୌଦ୍ଧ ଜିଲ୍ଲାର ଲୋକାପଡା, ଜଗତୀ ଓ ପାଣିଘରା ଭଳି ସ୍ଥାନରେ ମେଗା ପାନୀୟଜଳ ପ୍ରକଳ୍ପ କାର୍ଯ୍ୟ ହାତକୁ ନେଇଛନ୍ତି ।