ବୌଦ୍ଧ: ଠିକା ସଂସ୍ଥାର ମନୋମୁଖୀ କାର୍ଯ୍ୟକୁ ବିରୋଧ କରି ଆନ୍ଦୋଳନ । ଖୋର୍ଦ୍ଧା-ବଲାଙ୍ଗୀର ରେଳପଥର ନିର୍ମାଣ କାର୍ଯ୍ୟ କରୁଥିବା ଠିକା ସଂସ୍ଥାର ଖାମଖିଆଲ ମନୋଭାବକୁ ବିରୋଧ କରି ବିକ୍ଷୋଭ । ଏନେଇ ଗତକାଲି ବୌଦ୍ଧ ଜିଲ୍ଲାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଆଜି ତ୍ରି-ପାକ୍ଷିକ ଆଲୋଚନା ପରେ ସମସ୍ତ ନିର୍ମାଣ କାର୍ଯ୍ୟ ସାମୟିକ ଭାବରେ ସ୍ଥଗିତ ରହିଥିବା ସୂଚନା ମିଳିଛି ।
ବହୁ ପ୍ରତିକ୍ଷୀତ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ନିର୍ମାଣ କାର୍ଯ୍ୟ କରୁଥିବା ଠିକା ସଂସ୍ଥାର ମନୋମୁଖୀ କାର୍ଯ୍ୟ ବିରୋଧରେ ଜନ ଆକ୍ରୋଶ ବୃଦ୍ଧି ପାଇବାରେ ଲାଗିଛି । ଦୀର୍ଘ ବର୍ଷ ଧରି ଏକ ପ୍ରମୁଖ ଯୋଗାଯୋଗ ରାସ୍ତାକୁ ସମ୍ପୂର୍ଣ୍ଣ ବନ୍ଦ କରି ରେଳପଥ ନିର୍ମାଣ କାର୍ଯ୍ୟକୁ ବିରୋଧ କରି ଗତକାଲି ଠିକା ସଂସ୍ଥାର କ୍ୟାମ୍ପରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇବା ସହିତ ରାସ୍ତା ରୋକ ହୋଇଥିଲା । ଆଜି ଉପଜିଲ୍ଲାପାଳ ଉଭୟ ପକ୍ଷଙ୍କୁ ନେଇ ଏହାର ଆପୋଷ ସମାଧାନ ପାଇଁ ପ୍ରଚେଷ୍ଟା କରିଥିବା ସୂଚନା ମିଳିଛି । ଜିଲ୍ଲାର ଲାଇଫ ଲାଇନ ହେବାକୁ ଯାଉଥିବା ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ନିର୍ମାଣ କାର୍ଯ୍ୟ ତ୍ବରିତ ବେଗରେ ଜାରି ରହିଛି । ଖୋର୍ଦ୍ଧା-ବଲାଙ୍ଗୀର ରେଳପଥର ସର୍ବାଧିକ ପଥ ହେଉଥିବା ବୌଦ୍ଧ ଜିଲ୍ଲାର ମନମୁଣ୍ଡା ଠାରୁ ମାଧପୁର ପର୍ଯ୍ୟନ୍ତ ଶହେ କିଲୋମିଟରରୁ ଊର୍ଦ୍ଧ୍ବ ରାସ୍ତା ତିନୋଟି ପର୍ଯ୍ୟାୟରେ ଜାରି ରହିଛି । ମନମୁଣ୍ଡା ଠାରୁ ବଉଦ ପର୍ଯ୍ୟନ୍ତ ରେଳପଥ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ଅପେକ୍ଷାରେ ରହିଥିବା ବେଳେ ବୌଦ୍ଧରୁ ଚାରିଛକ ପର୍ଯ୍ୟନ୍ତ ରେଳପଥ ନିର୍ମାଣ କାର୍ଯ୍ୟ ଜାରି ରହିଛି ।
ତେବେ ଏହି ଦ୍ବିତୀୟ ପର୍ଯ୍ୟାୟ ରେଳପଥ ନିର୍ମାଣ କାର୍ଯ୍ୟ କରୁଥିବା ଠିକା ସଂସ୍ଥାର ମନୋମୁଖୀ କାର୍ଯ୍ୟ ଯୋଗୁଁ ସାଧାରଣ ଲୋକମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ବିଶେଷ ଭାବରେ ସରସରା, ବାମଣ୍ଡା, ରାଧାନଗର, ମଥୁରା, ବୀରନରସିଂହପୁର, ସାମ୍ପୋଚ, ଲୁଣିବାହାଲ ଭଳି ପଞ୍ଚାୟତ ଦେଇ ନିର୍ମାଣ ହେଉଥିବା ରେଳପଥ ଯୋଗୁଁ ହଜାର ହଜାର ଏକର ଚାଷଜମି ଉଜୁଡି ଯିବାର ଆଶଙ୍କା ସୃଷ୍ଟି ହୋଇଛି । ସେପଟେ କଲେକଟା ଗ୍ରାମ ନିକଟରେ ଅତିକ୍ରମ କରୁଥିବା ରେଳପଥର ଉଭୟ ପାର୍ଶ୍ବର ରାସ୍ତାକୁ ନେଇ ଜନ ଅସନ୍ତୋଷ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ବାରମ୍ବାର ଦାବି ସତ୍ତ୍ୱେ ଠିକା ସଂସ୍ଥାର ଖାମଖିଆଲ ମନୋଭାବରେ ଅତିଷ୍ଠ ହୋଇ ଗତକାଲି ଅଞ୍ଚଳବାସୀ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିଥିଲେ । ଶହ ଶହ ସଂଖ୍ୟାରେ ଲୋକେ ସମ୍ପୃକ୍ତ ରାସ୍ତା ଅବରୋଧ କରିବା ସହିତ ଠିକା ସଂସ୍ଥାର କ୍ୟାମ୍ପରେ ପହଞ୍ଚି ଏହାର ବିରୋଧ କରିଥିଲେ ।