ବୌଦ୍ଧ:ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ । ଏନେଇ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ସ୍ଥାନୀୟ ବାସିନ୍ଦା । ତେବେ ଡାକ୍ତରଖାନାର ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ସହଯୋଗୀ ଡାକ୍ତରମାନଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି । ଯାହାକୁ ନେଇ ରୋଗୀ ସେବାରେ ମଧ୍ୟ ଏହାର ପ୍ରଭାବ ପଡ଼ିଥିବା ବେଳେ ଜିଲ୍ଲାପାଳ ଏନେଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।
ଏହା ମଧ୍ୟ ପଢନ୍ତୁ- ଭାରି ପଡିଲା ମନମୁଖୀ କାର୍ଯ୍ୟ, 3 ଇ-ରିକ୍ସା ଚାଳକ ବହିଷ୍କୃତ
ତେବେ ଜିଲ୍ଲାର ଅନ୍ୟତମ ବାଣିଜ୍ୟିକ ପେଣ୍ଠସ୍ଥଳ ବାଉଶୁଣୀ ଠାରେ ରହିଛି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର । ଏହି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ବାଉଶୁଣୀ ଅଞ୍ଚଳର ୧୦ରୁ ଉର୍ଦ୍ଧ୍ବ ପଞ୍ଚାୟତର ଅଧିବାସୀ ରୋଗୀ ସେବା ପାଇଁ ନିର୍ଭରଶୀଳ । ହେଲେ ଗତ କିଛି ଦିନ ହେଲା ଏଠାରେ ବିଶୃଙ୍ଖଳା ଲାଗି ରହିଛି । ବିଶେଷ ଭାବରେ ଏଠାରେ କାର୍ଯ୍ୟ କରୁଥିବା ସ୍ବାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟ କଳାପକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି । ବାଉଶୁଣୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଆସୁଥିବା ରୋଗୀମାନଙ୍କୁ ଠିକରେ ଚିକିତ୍ସା କରାଯାଉ ନଥିବା ତଥା ଡାକ୍ତରଖାନାରେ କାର୍ଯ୍ୟ କରୁଥିବା ଅନ୍ୟ ଡାକ୍ତରଙ୍କୁ ବାରମ୍ବାର ହଇରାଣ କରାଯାଉଥିବା ଅଭିଯୋଗ ହୋଇଛି ।