ବୌଦ୍ଧ:ଜିଲ୍ଲାର ସୀମାନ୍ତ ପଞ୍ଚାୟତରେ ଅପହଞ୍ଚ ସରକାରୀ ଯୋଜନା । ଗମନାଗମନର ଅସୁବିଧା ସବୁଠାରୁ ବଡ ସମସ୍ୟା ହୋଇ ରହିଥିବାବେଳେ ପଞ୍ଚାୟତରେ ପାନୀୟଜଳ ଯୋଗାଣ ଓ ଜଳସେଚନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଷୁଡି ପଡିଥିବା ଅଭିଯୋଗ ହୋଇଛି । ଏପରି ଅଭିଯୋଗ ଆସିଛି ହରଭଙ୍ଗା ବ୍ଲକର ସୀମାନ୍ତ ଆଢେଣୀଗଡ ପଞ୍ଚାୟତରୁ । ରାସ୍ତାଘାଟ, ପିଇବା ପାଣି ସମେତ ବିଭିନ୍ନ ସରକାରୀ ଯୋଜନାରୁ ବଞ୍ଚିତ ହୋଇଆସୁଛନ୍ତି ପଞ୍ଚାୟତବାସୀ ।
ଆଢେଣୀଗଡ ପଞ୍ଚାୟତ ବୌଦ୍ଧ ଜିଲ୍ଲାର ଶେଷ ସୀମାରେ ରହିଥିବାବେଳେ ଏହା ପଡୋଶୀ କନ୍ଧମାଳ ଓ ନୟାଗଡ଼ ଜିଲ୍ଲାକୁ ସଂଲଗ୍ନ ରହିଛି । ଅତୀତରେ ଏହି ଏଞ୍ଚଳ ଜଙ୍ଗଲରେ ପରିପୂର୍ଣ୍ଣ ଥିବା ହେତୁ ଏହାକୁ ଅରଣ୍ୟଗଡ ମଧ୍ୟ କୁହାଯାଉଥିଲା । ଜଙ୍ଗଲ ସମ୍ପଦ ସହିତ ପର୍ଯ୍ୟଟନର ବ୍ୟାପକ ଭିତ୍ତିଭୂମି ଥିବା ସତ୍ତ୍ବେ ଏହି ଅଞ୍ଚଳରେ କିନ୍ତୁ ବ୍ୟାପକ ସମସ୍ୟା ଲାଗି ରହିଛି । ପ୍ରମୁଖ ସମସ୍ୟା ମଧ୍ୟରେ ରହିଛି ପାନୀୟଜଳ ପରି ମୌଳିକ ଆବଶ୍ୟକତା ।ଏଠାକାର ସ୍ଥାନୀୟ ବସିନ୍ଦାଙ୍କୁ ମାଇଲ ମାଇଲ ବାଟ ପାଦରେ ଚାଲି ପିଇବା ପାଣି ସଂଗ୍ରହ କରିବାକୁ ପଡୁଥିବାବେଳେ ଜଳଯୋଗାଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ଫେଲ ମାରିଛି ।