ବୌଦ୍ଧ:ଆକାଶରୁ ହେଉଛି ଅଗ୍ନି ବର୍ଷା । ତତଲା କଡେଇରେ ଭାଜି ହେଉଛି ବୌଦ୍ଧ ଜିଲ୍ଲା । ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଥିବା ବେଳେ ପାନୀୟଜଳର ମଧ୍ୟ ଉତ୍କଟ ଅଭାବ ପରିଲକ୍ଷିତ ହୋଇଛି । ଗ୍ରୀଷ୍ମପ୍ରବାହ ଯୋଗୁଁ ମଣିଷଙ୍କ ସହିତ ଗୃହପାଳିତ ପଶୁପକ୍ଷୀମାନେ ମଧ୍ୟ ଗଭୀର ପ୍ରଭାବିତ ହେଉଛନ୍ତି । ବିଶେଷ ଭାବରେ ବର୍ତ୍ତମାନ ପ୍ରାଣୀଧନ ବିଭାଗର କର୍ମଚାରୀ ଆନ୍ଦୋଳନ ଜାରି ରଖିଥିବାରୁ ଗୃହପାଳିତ ପଶୁପକ୍ଷୀମାନଙ୍କ ଚିକିତ୍ସାରେ ମଧ୍ୟ ସମସ୍ୟା ସୃଷ୍ଟି ହେଉଛି ।
ଜିଲ୍ଲାରେ ପାରଦ ଲଗାତାର ୧୫ଦିନ ହେଲା 42 ଡିଗ୍ରୀ ଉପରେ ରହି ସାରା ରାଜ୍ୟର ଉତ୍ତପ୍ତ ଜିଲ୍ଲା ଭାବରେ ପରିଗଣିତ ହେଉଛି ବୌଦ୍ଧ ଜିଲ୍ଲା । ବୌଦ୍ଧ ଜିଲ୍ଲାରେ ଦ୍ରୁତଗତିରେ ଜଙ୍ଗଲ ଅବକ୍ଷୟ ସହିତ ବିକାଶ ନାରେ ବଳି ପଡୁଥିବା ବୃକ୍ଷରାଜି ଯୋଗୁଁ ଜିଲ୍ଲାରେ ପ୍ରଚଣ୍ଡ ଖରା ଅନୁଭୂତ ହେଉଛି । ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକର ବିଭିନ୍ନ ପଞ୍ଚାୟତରେ ମନରେଗା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚରେ ପଥପ୍ରାନ୍ତ ବନୀକରଣ କାର୍ଯ୍ୟ କରାଯାଇଥିଲେ ମଧ୍ୟ ତାହା ଫେଲ ମାରିଥିବା ଅଭିଯୋଗ ହୋଇଛି ।
ବୌଦ୍ଧ ଜିଲ୍ଲା ସଦର ମହକୁମାର ବାଏପାସ ରାସ୍ତାରେ ଗୋଟିଏ ମଧ୍ୟ ବଡ ଗଛ ନ ଥିବାରୁ ଉକ୍ତ ରାସ୍ତାରେ ସକାଳ ୯ଟା ପରେ କୌଣସି ପଥଚାରୀ ଯାତାୟତ ପ୍ରାୟତଃ କରୁନଥିବା ଦେଖିବାକୁ ମିଳୁଛି । ସେହିପରି ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ହରଭଙ୍ଗା ପର୍ଯ୍ୟନ୍ତ ଥିବା ଜଗନ୍ନାଥ ସଡକର ଦୁଇ ପାର୍ଶ୍ଵରେ ଗତ କିଛି ବର୍ଷ ତଳେ ବ୍ୟାପକ ବୃକ୍ଷରାଜି ଥିବା ବେଳେ ବର୍ତ୍ତମାନ ରାସ୍ତା ପ୍ରଶସ୍ତିକରଣ ନାରେ ସବୁ ପୁରୁଣା ଗଛକୁ କାଟି ଦିଆଯାଇଛି । ଫଳରେ ପଥଚାରୀ ମାନେ ଗଛ ଛାଇ ଟିକିଏ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେପଟେ ଯେଉଁ କେତେକ ସ୍ଥାନରେ ପଥପ୍ରାନ୍ତ ବନୀକରଣ କାର୍ଯ୍ୟ ହୋଇଛି ତନ୍ମଧ୍ୟରୁ ଅଧିକାଂଶ ସ୍ଥାନରେ ଗଛ ସବୁ ରକ୍ଷଣାବେକ୍ଷଣ ଅଭାବରୁ ଜଳିପୋଡି ମରିଯାଇଛି ।