ବୌଦ୍ଧ:ମହୁଲ ଏକ ଅର୍ଥକାରୀ ଫଳ । ପ୍ରାୟତଃ ବଣପାହାଡ଼ ଘେରା ଅଞ୍ଚଳରେ ବସବାସ କରୁଥିବା ଲୋକେ ମହୁଲ ବିକ୍ରି କରି ରୋଜଗାର କରନ୍ତି । ଏଥିରୁ ବିଭିନ୍ନ ପ୍ରକାର ଖାଦ୍ୟ ପଦାର୍ଥ ମଧ୍ୟ ତିଆରି ହୋଇଥାଏ । ହେଲେ ଆପଣ ଜାଣିଛନ୍ତି କି ମହୁଲ ଫଳରୁ ତେଲ ମଧ୍ୟ ପ୍ରସ୍ତୁତ ହୋଇଥାଏ । ମହୁଲ ଫଳରୁ ତିଆରି ହେଉଛି ସ୍ବାସ୍ଥ୍ୟକର ଗରା ତେଲ । ଯାହା ନାମୀଦାମୀ ବ୍ରାଣ୍ଡ ତେଲଠାରୁ କୌଣସି ଗୁଣରେ କମ ନୁହେଁ । ଅଳ୍ପ ଖର୍ଚ୍ଚରେ ଓ ପାରମ୍ପରିକ ପଦ୍ଧତିରେ ମହୁଲ ଫଳରୁ ତେଲ ବାହାର କରି ଲୋକେ ଲାଭବାନ ହେଉଛନ୍ତି ଲୋକେ ।
ଜଙ୍ଗଲ ସମ୍ପଦରେ ଭରପୁର ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ମହୁଲ ଫଳର ସ୍ବତନ୍ତ୍ର ଚାହିଦା ରହିଛି । ସାଧାରଣତଃ ଫଗୁଣ ଆସିଲା ପରେ ମହୁଲ ଫୁଲରେ ଭରିଯାଏ ଜଙ୍ଗଲ । ଯାହା ସେଠାକାର ଲୋକଙ୍କୁ ରୋଜଗାରର ବାଟ ଦେଖାଇଥାଏ । ଖରା ଦିନ ପରେପରେ ମହୁଲ ଫଳ ଟୋଲରୁ ତେଲି ସମ୍ପ୍ରଦାୟର ଲୋକେ ଗରା ତେଲ ପ୍ରସ୍ତୁତ କରିଥାନ୍ତି । ଏହି ତେଲ ସ୍ବାସ୍ଥ୍ୟ ପାଇଁ ଯେତିକି ହିତକର, ପ୍ରସ୍ତୁତି ପ୍ରଣାଳି ମଧ୍ୟ ସେତିକି ନିଆରା । ମହୁଲ ଫୁଲ ହେବାପରେ ଗଛରେ ଫଳ ଧରିଥାଏ । ଏହି ଟୋଲରୁ ହିଁ ପ୍ରସ୍ତୁତ ହୋଇଥାଏ ଗରା ତେଲ । ତେଲ ପ୍ରସ୍ତୁତ ପାଇଁ ମହୁଲ ଟୋଲ ଫଳକୁ କିଛି ଦିନ ଖରାରେ ଶୁଖାଇ ଦିଆଯାଏ । ଶୁଖିଯିବା ପରେ ଏଗୁଡ଼ିକ ଶୁଖିଲା ପଣସ ମଞ୍ଜି ଭଳି ଦେଖାଯାଏ । ଶୁଖିଲା ଟୋଲକୁ ପ୍ରଥମେ ଚୂନା ଭଳି ଗୁଣ୍ଡ କରାଯାଏ । ପୂର୍ବରୁ ଢିଙ୍କିର ସହାୟତାରେ ଚୂନା ପ୍ରସ୍ତୁତ କରାଯାଉଥିବା ବେଳେ ବର୍ତ୍ତମାନ ଏହାକୁ ମେସିନ୍ ଦ୍ବାରା କରାଯାଉଛି । ଟୋଲରୁ ପ୍ରସ୍ତୁତ ଚୂନାକୁ ପାରମ୍ପରିକ ପଦ୍ଧତିରେ କାଠ ଘଣାରେ ପେଡ଼ା ଯାଇଥାଏ । ତେବେ ଆଜି ବି ଲୋକେ ଗାଈ ବଳଦ ସହାୟତାରେ ତେଲ ପ୍ରସ୍ତୁତ କରୁଛନ୍ତି ।