ଓଡିଶା

odisha

By

Published : Sep 9, 2019, 1:16 PM IST

ETV Bharat / state

ଅନ୍ଧବିଶ୍ବାସର ଗନ୍ତାଘର ପାଲଟିଛି ବୌଦ୍ଧ: ଡାକ୍ତରଖାନା ନୁହେଁ, ଝଡାଫୁଙ୍କା ଉପରେ ବିଶ୍ବାସ

ଏବେ ବି ସରିନି ଅନ୍ଧବିଶ୍ବାସ । ଖୋଦ ସ୍ବାସ୍ଥ୍ୟ ବିଭାଗରେ ଚାକିରି କରି ବି ଅନ୍ଧବିଶ୍ବାସର ବଶବର୍ତ୍ତୀ ଅସହାୟ ବାପାମାଆ । ଡାକ୍ତରଖାନାରେ ନୁହେଁ ଝଡାଫୁଙ୍କାକୁ ଆପଣାଉଛନ୍ତି ବୌଦ୍ଧ ହରଭଙ୍ଗା ବ୍ଲକର ସୁଶାନ୍ତ ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ


ବୌଦ୍ଧ: ସ୍ବାସ୍ଥ୍ୟ ବିଭାଗରେ ଚାକିରି କରି ବି ଅନ୍ଧବିଶ୍ବାସର ବଶବର୍ତ୍ତୀ ଅସହାୟ ବାପା । ଡାକ୍ତରଖାନା ପରିବର୍ତ୍ତେ ଝଡାଫୁଙ୍କା କରିବାକୁ ମନବଳାଇଛନ୍ତି ଅଭିଭାବକ । ଦୀର୍ଘଦିନ ଧରି 5 ବର୍ଷ ଝିଅର ଜ୍ବର କମୁନାହିଁ । ସେପଟେ କୁଆଡେ ଡାକ୍ତର ଚିକିତ୍ସା କରିବାକୁ ମନା କରୁଥିବା କହୁଛନ୍ତି ଝିଅ ଅହଲ୍ୟାର ବାପା ।

ଏହି ଘଟଣା ହେଉଛି ବୌଦ୍ଧ ହରଭଙ୍ଗା ବ୍ଲକ ସଦର ମହକୁମା ଚାରିଛକ ବ୍ଲକ କାର୍ଯ୍ୟାଳୟର ଠିକ ପଛ ପାର୍ଶ୍ଵରେ ରହୁଥିବା ଠିଡିକାଯୋର ଗାଁର ସୁଶାନ୍ତଙ୍କ ଝିଅ ଅହଲ୍ୟାର । ସେ ପ୍ରଥମ ଶ୍ରେଣୀରେ ପାଠପଢୁଥିବାବେଳେ ଦିନେ ସ୍କୁଲ ଛୁଟି ପରେ ଫେରିବା ସମୟରେ କୁଆଡେ ଗୋଟିଏ ଅଶରୀରୀ ଦେବୀ ଅପହୃତ କରିନେଇ ଦୀର୍ଘ ସମୟ ପରେ ଘରେ ଆଣି ଛାଡିଥିବା ସୁଶାନ୍ତ କହିଛନ୍ତି । ଆଉ ସେବେଠାରୁ ଝିଅର ଦେହରୁ ଦେବୀ ଓହ୍ଲାଉ ନାହାଁନ୍ତି, ଦେହରେ ପ୍ରବଳ ଜ୍ବର ଓ ଜ୍ବାଳା ଅନୁଭୂତ ହେଉଛି । ଏଭଳି କିଛି ଅବାସ୍ତବ କଥା କହିଛନ୍ତି ସୁଶାନ୍ତ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ପୁଣି ସୁଶାନ୍ତ ଚାରିଛକ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଜଣେ ସଫେଇ କର୍ମଚାରୀ । ଝିଅ ଅହଲ୍ୟାକୁ ଡାକ୍ତରଖାନାରେ ଦେଖାଇବାରୁ ଡାକ୍ତର ମଧ୍ୟ କୁଆଡେ ଦେବୀ ର ପ୍ରକୋପ ଯୋଗୁଁ ଚିକିତ୍ସା କରିବାକୁ ମନା କରିଛନ୍ତି ବୋଲି ସେ କହିଛନ୍ତି । ଆଉ ତାପରେ ଦୀର୍ଘ ଦିନ ହେଲା ଝିଅକୁ ବିଭିନ୍ନ ଝଡାଫୁଙ୍କା କରୁଛନ୍ତି ।

ସେଥିପାଇଁ ସୁଶାନ୍ତ ଝିଅକୁ ସାଙ୍ଗରେ ଧରି ରବିବାର ବୌଦ୍ଧର ରୁଦ୍ର ଭୈରବଙ୍କ ପୀଠକୁ ଯାଇ ମନ୍ତୁରା ପାଣି ଓ ରିଷ୍ଟ ନାସକ ସୂତା ହାତରେ ବାନ୍ଧି ଫେରିଥିଲେ । କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ଯେ ଆମେ ଆଧୁନିକ ଯୁଗର ଚନ୍ଦ୍ର ପୃଷ୍ଠରେ ବାସ କରିବାର ସ୍ବପ୍ନ ଦେଖୁଥିବାବେଳେ ସାଧାରଣ ରୋଗ ନିମନ୍ତେ ଚିକିତ୍ସା ପାଇଁ ଦେବାଦେବୀ ଓ ଝଡାଫୁଙ୍କାର ସହାୟତା ନେବା କେତେଦୂର ଯୁକ୍ତିଯୁକ୍ତ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details