ଓଡିଶା

odisha

ETV Bharat / state

ମାଛ ଚାଷନେଇ ବୌଦ୍ଧ ଜିଲ୍ଲାରେ ରହିଛି ଅନୁକୂଳ ପରିବେଶ, ସ୍ଥାୟୀ ବଜାରର ପରିକଳ୍ପନା - ବ୍ଲାକ କଟନ ସୋଏଲ ମାଛଚାଷ

ବୌଦ୍ଧ ଜିଲ୍ଲାର ଉଭୟ ନଦୀ ମାଛ ଓ ଚାଷମାଛର ସ୍ବତନ୍ତ୍ର ଚାହିଦା ରହିଥିବା ବେଳେ ଏଠାକାର ଜଳବାୟୁ ଓ ମାଟି ମାଛଚାଷ ପାଇଁ ଅତ୍ୟନ୍ତ ଅନୁକୂଳ ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ

panchayatraj minister pradeep amata
panchayatraj minister pradeep amata

By

Published : May 28, 2023, 1:20 PM IST

panchayatraj minister pradeep amata

ବୌଦ୍ଧ:ଜିଲ୍ଲାରେ ଉଭୟ ନଦୀ ମାଛ ଓ ଚାଷ ମାଛର ରହିଛି ସ୍ବତନ୍ତ୍ର ଚାହିଦା । ଏହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଏହାର ସ୍ବତନ୍ତ୍ର ବଜାର ନିର୍ମାଣ ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ସେପଟେ ଜାଆଁଳା ମାଛ ଉତ୍ପାଦନ କେନ୍ଦ୍ରରେ ପାଣିର ଅଭାବ ପରିଲକ୍ଷିତ ହେଉଥିବା ବେଳେ ଏଥିପାଇଁ ସ୍ବତନ୍ତ୍ର ପଦକ୍ଷେପର ଆବଶ୍ୟକତା ରହିଛି । ଉଭୟ ନଦୀ ମାଛ ଓ ଚାଷମାଛର ଜିଲ୍ଲାରେ ସ୍ବତନ୍ତ୍ର ଚାହିଦା ରହିଥିବା ବେଳେ ଏଠାକାର ଜଳବାୟୁ ଓ ମାଟି ମାଛଚାଷ ପାଇଁ ଅତ୍ୟନ୍ତ ଅନୁକୂଳ ହୋଇଥିବା ସୂଚନା ମିଳିଛି । ଆନ୍ଧ୍ର ମାଛକୁ ଟକ୍କର ଦେଉଥିବା ଜିଲ୍ଲାରେ ଦେଶୀ ମାଛର ଚାହିଦା ବୃଦ୍ଧି ଓ ଖାଉଟି ତଥା ଚାଷୀଙ୍କ ସୁବିଧା ପାଇଁ ଜିଲ୍ଲାରେ ନିର୍ମାଣ ହେବ ଆଧୁନିକ ତଥା ସ୍ବଚ୍ଛ ମାଛ ବଜାର । କାରଣ ବିଭିନ୍ନ ପ୍ରକାରର ମାଛଚାଷ ପରିବେଶ ଦୃଷ୍ଟିରୁ ଚାଷୀଙ୍କ ପାଇଁ ବେଶ ଲାଭଦାୟକ ହୋଇ ପାରୁଛି ।

ତେବେ ବୌଦ୍ଧ ଜିଲ୍ଲାର ବ୍ଲାକ କଟନ ସୋଏଲ ମାଛଚାଷ ପାଇଁ ଏକ ବିରାଟ ସମ୍ଭାବନା ସୃଷ୍ଟି କରିପାରିଛି । ଏହାଛଡା ବୌଦ୍ଧ ଦେଇ ପ୍ରବାହିତ ମହାନଦୀ ସମେତ ତେଲନଦୀ, ବାଘନଦୀ ଓ ସାଲୁଙ୍କୀ ନଦୀ ଭଳି ମଧୁର ଜଳରୁ ଧରାଯାଉଥିବା ମାଛର ଯଥେଷ୍ଟ ଚାହିଦା ରହିଛି । ହେଲେ ପରିବର୍ତ୍ତିତ ସମୟରେ ନଦୀମାଛ ସଂଗ୍ରହ କମିଥିବା ବେଳେ ଚାଷ ମାଛର ବେଶ ଉପକାରୀ ହୋଇପାରୁଛି । ରାଜ୍ୟ ସରକାରଙ୍କ ମତ୍ସ୍ୟ ପୋଖରୀ ଯୋଜନା ଠାରୁ ନେଇ ବିଭିନ୍ନ ଯୋଜନା ମାଧ୍ୟମରେ ଚାଷୀ ମାଛଚାଷ କରି ଆର୍ଥିକ ସ୍ତରରେ ବେଶ ସ୍ବାବଲମ୍ବୀ ହୋଇ ପାରୁଛି ।

ରାଜ୍ୟ ସରକାର ମାଛଚାଷୀଙ୍କ ପାଇଁ ବିଭିନ୍ନ ଯୋଜନା ଜିଲ୍ଲା ମତ୍ସ୍ୟ ବିଭାଗ ଜରିଆରେ ଯୋଗାଇ ଦିଆଯାଇ ଚାଷୀଙ୍କୁ ସହାୟତା କରାଯାଉଛି । ବୌଦ୍ଧ ଜିଲ୍ଲା ମତ୍ସ୍ୟ ବିଭାଗ ଅଧିନରେ ଥିବା ମାଛଫାର୍ମ ଓଡ଼ିଶାର ଅନ୍ୟତମ ମାଛ ଯାଆଁଳା ଉତ୍ପାଦନ କେନ୍ଦ୍ର । ଏଠାରେ ରୋହୀ,ଭାକୁର,ଇଲିସି,ଜଳଙ୍ଗ, ରୁପଚାନ୍ଦି ଭଳି ଅନେକ ପ୍ରଜାତିର ମାଛ ବ୍ରିଡିଂ କରି ଚାଷୀଙ୍କୁ ମାଛ ଜାଆଁଳା ଆବଶ୍ୟକତା ମୁତାବକ ଯୋଗାଇ ଦିଆଯାଇଥାଏ । ଏହାଛଡା ମିଶନ ଶକ୍ତି ମାଧ୍ୟମରେ ଜିଲ୍ଲାର ବିଭିନ୍ନ ଗ୍ରାମର ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ବାୟୋଫ୍ଲେକ୍ସ ଟାଙ୍କିରେ ମାଛଚାଷର ସୁଯୋଗ ସୃଷ୍ଟି କରାଯାଇ ପାରିଛି । ଫଳରେ କେବଳ ଚଳିତ ବର୍ଷ ଜିଲ୍ଲାର ବିଭିନ୍ନ ମହିଳା ଗୋଷ୍ଠୀ ଏଭଳି ମାଛଚାଷ କରି ବେଶ ଦୁଇ ପଇସା ରୋଜଗାରର ସୁଯୋଗ ପାଇଛନ୍ତି ।

ସେହିପରି ଜିଲ୍ଲାରେ ଉଭୟ କେପଚର ଫିସରିଂ ଓ କଲଚର ଫିସରିଂ ବେଶ ଉପଯୋଗୀ ହୋଇ ପାରିଥିବା ବେଳେ ସରକାରୀ ଯୋଜନା ମାଧ୍ୟମରେ ଅନ୍ୟ ଅଞ୍ଚଳର ମାଛ ଅଣା ନଯାଇ ସ୍ଥାନୀୟ ମାଛ ରପ୍ତାନୀ ପାଇଁ ଚାଷୀଙ୍କ ମଧ୍ୟରେ ସୁଯୋଗ ସୃଷ୍ଟି ପାଇଁ ବିଭାଗ ଉଦ୍ୟମ କରୁଛି । ବୌଦ୍ଧ ଜିଲ୍ଲାର ମତ୍ସ୍ୟ ବିଭାଗ ଅଧିନରେ ଥିବା ମାଛଫାର୍ମ ପ୍ରାୟ ଅଠର ଏକର ପରିମିତ ଅଞ୍ଚଳରେ ସମୁଦାୟ 21 ଗୋଟି ପୋଖରୀ ମାଧ୍ୟମରେ ମାଛ ଜାଆଁଳା ଉତ୍ପାଦନ କରାଯାଉଛି । ବୌଦ୍ଧ ମତ୍ସ୍ୟ ଫାର୍ମରୁ ଜାଆଁଳା ସଂଗ୍ରହ ନିମନ୍ତେ ବୌଦ୍ଧ ଜିଲ୍ଲା ସମେତ ପ୍ରାୟ ଦଶଟି ଜିଲ୍ଲାର ଚାଷୀ ନିର୍ଭରଶୀଳ ।

ତେବେ ମାଛ ପାଇଁ ଜିଲ୍ଲାର ସ୍ବତନ୍ତ୍ର ପରିଚୟ ଥିବା ବେଳେ ମାଛଚାଷ ନିମନ୍ତେ ପାଣିର ଯଥେଷ୍ଟ ଅଭାବ ରହି ଆସିଛି । ବର୍ଷା ଜଳକୁ ସଂରକ୍ଷଣ ତଥା ଗୋଟିଏ ମାତ୍ର ଗଭୀର ନଳକୂପରୁ ଏତେ ବିରାଟ ଅଞ୍ଚଳକୁ ପାଣି ଯୋଗାଇବା ସମ୍ଭବପର ହୋଇ ପାରୁନାହିଁ । ଫଳରେ ଅନେକ ପୋଖରୀ ଜାନୁଆରୀ ମାସ ପରେ ଶୁଖିଲା ରହିଯାଉଛି । ତେଣୁ ନିକଟରେ ପ୍ରବାହିତ ମହାନଦୀର ଜଳ ଏସବୁ ପୋଖରୀରେ ସଂଯୋଗ କରାଗଲେ ଅଧିକ ସୁଫଳ ମିଳିପାରିବ ବୋଲି ମତ ପ୍ରକାଶ ପାଇଛି ।

ଏହାଛଡା ମାଛଫାର୍ମର ଚତୁଃର୍ଦିଗରେ ସ୍ଥାୟୀ ବାଡ ନଥିବାରୁ ମଧ୍ୟ ଅନେକ ସମସ୍ୟା ସୃଷ୍ଟି ହୋଇଆସୁଛି । ବୌଦ୍ଧ ଜିଲ୍ଲାରେ ମାଛର ଚାହିଦାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବିଜୁ ପଟ୍ଟନାୟକ ଆଦର୍ଶ କୃଷି ବଜାର ପରିସରରେ ଏକ ନୂତନ ହାଇଜେନିକ ମାଛ ବଜାର ନିମନ୍ତେ ପ୍ରଚେଷ୍ଟା ଆରମ୍ଭ ହୋଇଛି । ଏନେଇ ଗତକାଲି ସଂଧ୍ୟାରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ, ଉପଜିଲ୍ଲାପାଳ ରବୀନ୍ଦ୍ରନାଥ କହଁର, ନଗରପାଳ ମୃତୁଞ୍ଜୟ ମିଶ୍ର ପ୍ରମୁଖ ଉକ୍ତ ସ୍ଥାନରେ ପହଞ୍ଚି ବଜାରର 3D ଡେମୋ ଦେଖିବା ସହିତ ବୌଦ୍ଧ ପୌରାଞ୍ଚଳରେ ନିର୍ମାଣ ହୋଇଥିବା ଥଣ୍ଡା ପାନୀୟଜଳ ପ୍ରକଳ୍ପ ଓ ଅନ୍ୟାନ୍ୟ ପ୍ରକଳ୍ପର ଉଦଘାଟନ କରିଥିଲେ ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details