ଦଲାଲଙ୍କ ବୁଢିଆଣୀ ଜାଲରେ ଶ୍ରମିକ ବୌଦ୍ଧ:ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକରେ ପଚାଶ ହଜାରରୁ ଊର୍ଦ୍ଧ୍ବ ପଞ୍ଜିକୃତ ନିର୍ମାଣ ଶ୍ରମିକ ରହିଥିବା ବେଳେ ଅନେକ ସମୟରେ ସରକାରୀ ସହାୟତା ପାଇବାରୁ ସେମାନେ ବଞ୍ଚିତ ହେଉଛନ୍ତି । ଦଲାଲଙ୍କ ଦ୍ବାରା ପ୍ରତାରିତ ତଥା ଆର୍ଥିକ ଶୋଷଣର ଶିକାର ହେଉଥିବା ହିତାଧିକାରୀଙ୍କୁ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ।ଅନ୍ୟପଟେ ଗୁରୁବାର ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ବ୍ଲକର ଶ୍ରମିକଙ୍କୁ ଅଢେ଼ଇ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସରକାରୀ ସହାୟତା ଯୋଗାଇ ଦିଆଯାଇଥିବା ସୂଚନା ମିଳିଛି ।
ବୌଦ୍ଧରେ ସକ୍ରିୟ ଶ୍ରମିକ ଦଲାଲ । ଗରିବ ଶ୍ରମିକ ମାନେ ଦଲାଲଙ୍କ କବ୍ଜାରେ ପଡି ଆର୍ଥିକ ଶୋଷଣର ଶିକାର ହେଉଛନ୍ତି । ଏଥିରେ କିଛି ଶ୍ରମ ବିଭାଗର କର୍ମଚାରୀ ଲିପ୍ତ ରହୁଥିବାରୁ ଶ୍ରମିକ ମାନେ ସେମାନଙ୍କ ସହାୟତା ଠିକଭାବେ ପାଇପାରୁ ନାହାନ୍ତି । ଗତ ମାସରେ ଶ୍ରମ ବିଭାଗର ଏଭଳି ଜଣେ ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କୁ ଜିଲ୍ଲାପାଳ ଚାକିରିରୁ ବିଦା କରିଥିବା ବେଳେ ବର୍ତ୍ତମାନ ମଧ୍ୟ ଲୁଚାଛପାରେ ଏଭଳି ବେଆଇନ କାର୍ଯ୍ୟ ଜାରି ରହିଥିବା ସୂଚନା ମିଳିଛି । ଜିଲ୍ଲାର ଅନେକ ସ୍ଥାନରେ ଏଭଳି ବହୁ ଗରିବ ଅସହାୟ ହିତାଧିକାରୀ ସରକାରୀ ସହାୟତା ପାଇବାରୁ ବଞ୍ଚିତ ହେଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଛି ।
ଏହାମଧ୍ୟ ପଢନ୍ତୁ..ଶ୍ରମିକଙ୍କ ହକ୍ ମାରିଛି ବେଦାନ୍ତ କମ୍ପାନୀ: ପ୍ରଗତିଶୀଳ ଶ୍ରମିକ ମଞ୍ଚ
ଗରିବ ଅସହାୟ ଶ୍ରମିକଙ୍କୁ ପଞ୍ଜିକୃତ କରି ସହାୟତା ଯୋଗାଇ ଦେବା ନାଁରେ ବ୍ୟାପକ ଅର୍ଥ ଲୁଟୁଥିବା ଅଭିଯୋଗ ଆସିଛି । ଜିଲ୍ଲା ତିନୋଟି ବ୍ଲକରେ ପଚାଶ ହଜାରରୁ ଊର୍ଦ୍ଧ୍ବ ପଞ୍ଜିକୃତ ନିର୍ମାଣ ଶ୍ରମିକ ରହିଥିବା ବେଳେ ଅନେକ ସମୟରେ ଶ୍ରମିକଙ୍କ ପରିବାରକୁ ସରକାରୀ ସହାୟତା ମିଳିପାରୁ ନାହିଁ । ତେବେ ଏଭଳି ଠକ ତଥା ଦଲାଲଙ୍କ ଠାରୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ।
ଏହାମଧ୍ୟ ପଢନ୍ତୁ..ବୋନସ ଦାବି ନେଇ ଭାରତୀୟ ମଜଦୂର ସଙ୍ଘର ବିକ୍ଷୋଭ ପ୍ରଦର୍ଶନ
ସେପଟେ ଗୁରୁବାର ଦିନ ବଉଦ ଜିଲ୍ଲାର ହରଭଙ୍ଗା ଠାରେ ବ୍ଲକର ବହୁ ହିତାଧିକାରୀଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯାଇଥିବା ସୂଚନା ମିଳିଛି । ବିଭିନ୍ନ ପଞ୍ଚାୟତର ନିର୍ମାଣ ଶ୍ରମିକମାନଙ୍କୁ ଅଢେଇ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସରକାରୀ ସହାୟତା ଯୋଗାଇ ଦିଆଯାଇଥିଲା । କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ମୁଖ୍ୟ ଅତିଥି ରୂପେ ଯୋଗଦେଇ ସାଇବର ଠକ, ଶ୍ରମିକ ଦଲାଲ ଓ ଠକେଇର ବିଭିନ୍ନ ପନ୍ଥା ଠାରୁ ଦୂରେଇ ରହିବାକୁ ଶ୍ରମିକଙ୍କୁ ଆହ୍ବାନ ଦେଇଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲାପାଳ ନୃସିଂହ ଚରଣ ସ୍ବାଇଁ, ଜିଲ୍ଲା ଶ୍ରମ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଲାର କୌଣସି ୟୁନିୟନର ବିରୋଧରେ କୌଣସି ଆର୍ଥିକ ଶୋଷଣ ନେଇ ଅଭିଯୋଗ ମିଳିଲେ ତୁରନ୍ତ ସେମାନଙ୍କୁ ବ୍ଲାକ ଲିଷ୍ଟେଡ କରାଯିବ ବୋଲି ଜିଲ୍ଲା ଶ୍ରମ ଅଧିକାରୀ ସୂଚନା ଦେଇଛନ୍ତି ।
ଇଟିଭି ଭାରତ, ବୌଦ୍ଧ