ଓଡିଶା

odisha

ETV Bharat / state

ପଞ୍ଚାୟତ ଟକ୍କର: କିଏ ଜିତିବ ବୌଦ୍ଧ ବାଜି ? କଣ କହୁଛି ଗଣିତ - Boudh dist Political News

ବୌଦ୍ଧ ଜିଲ୍ଲା । କୃଷି ଓ ପ୍ରାକୃତିକ ପରିବେଶରେ ପରିପୂର୍ଣ୍ଣ ଜିଲ୍ଲା ଟିଏ । ଏହାର ପ୍ରାକୃତିକ ପରିବେଶ ଯେତିକି ରୋମାଞ୍ଚକ ଜିଲ୍ଲାର କୃଷି ମଧ୍ୟ ସେତିକି ବୈଭବଶାଳୀ । ପଶ୍ଚିମ ଓଡିଶାର ଏହି କ୍ଷୁଦ୍ର ଜିଲ୍ଲାଟି 1994 ମସିହାରେ ମୂଳଜିଲ୍ଲା କନ୍ଧମାଳ ଠାରୁ ଅଲଗା ହୋଇ ସ୍ବତନ୍ତ୍ର ଜିଲ୍ଲାର ମାନ୍ୟତା ପାଇଥିଲା । ଅଧିକ ପଢନ୍ତୁ

ପଞ୍ଚାୟତ ଟକ୍କର
ପଞ୍ଚାୟତ ଟକ୍କର

By

Published : Jan 28, 2022, 7:00 AM IST

ବୌଦ୍ଧ: ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ (Panchayat Election) ପ୍ରକ୍ରିୟା ଜାରି ରହିଛି । ଶେଷ ହୋଇଛି ନାମାଙ୍କନ ଦାଖଲ । ଫେବୃୟାରୀ 16 ରୁ 24 ମଧ୍ୟରେ ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ପାଇଁ ପଡିବ ଭୋଟ । 26 ରୁ 28 ଯାଏଁ 3 ଦିନ ଧରି ବ୍ଲକ ମୁଖ୍ୟାଳୟରେ ଗଣତି ହେବ ଭୋଟ । ୱାର୍ଡ ମେମ୍ବର, ପଞ୍ଚାୟତ ସମିତି, ଜିଲ୍ଲା ପରିଷଦ ସମେତ ସରପଞ୍ଚ ପଦବୀ ପାଇଁ ଏବେ ସରଗରମ ଗାଁ ରାଜନୀତି । ଗାଁ ଗାଁରେ ବସୁଛି ରାଜନୈତିକ ଦଳଙ୍କ ସଭାସମିତି । ପଡୁଛି ପ୍ରତିଶୃତିର ବର୍ଷା । ଗାଁ ମୁଖିଆ ପାଲଟିଛନ୍ତି ସର୍ବେସର୍ବା । ପଞ୍ଚାୟତର ବିକାଶ ପାଇଁ ଚାଲିଛି ଅଙ୍କକଷା । ଜିଲ୍ଲା ପରିଷଦ ଜୋନ ବିଜୟ ପାଇଁ ନେତା ରଚୁଛନ୍ତି ରଣନୀତି । ପୁଣି ବ୍ଲକ ଅଧ୍ୟକ୍ଷ କେମିତି ହାତେଇବେ ପ୍ରସ୍ତୁତ ହେଉଛି ପ୍ରୟାସ । ସେପଟେ ମତଦାନ ପୂର୍ବରୁ ମତଦାତା ପରଖୁଛନ୍ତି ନେତାଙ୍କ ପ୍ରତିଶୃତି । ଭୋଟ ପାଇଁ ସାରା ରାଜ୍ୟରେ ଜିଲ୍ଲାୱାରୀ ହେଉଛି ସମୀକ୍ଷା । 2017 ରେ କଣ ଥିଲା କେଉଁ ଜିଲ୍ଲାରେ ସ୍ଥିତି । କେଉଁ ଦଳ କରିଥିଲା ବାଜିମାତ, କିଏ ହୋଇଥିଲା ଚିତପଟାଙ୍ଗ... ଏହାକୁ ନେଇ ଆଜି ଆମର ସ୍ବତନ୍ତ୍ର ସେଗମେଣ୍ଟ ‘ପଞ୍ଚାୟତ ଟକ୍କର’ ରେ ଦେଖିବା ଆଜି ବୌଦ୍ଧ ସ୍ଥିତି ।

ବୌଦ୍ଧ ଜିଲ୍ଲା ସମ୍ପର୍କରେ...

କିଏ ଜିତିବ ବୌଦ୍ଧ ବାଜି, କଣ କହୁଛି ଗଣିତ

ବୌଦ୍ଧ ଜିଲ୍ଲା । କୃଷି ଓ ପ୍ରାକୃତିକ ପରିବେଶରେ ପରିପୂର୍ଣ୍ଣ ଜିଲ୍ଲା ଟିଏ । ଏହାର ପ୍ରାକୃତିକ ପରିବେଶ ଯେତିକି ରୋମାଞ୍ଚକ ଜିଲ୍ଲାର କୃଷି ମଧ୍ୟ ସେତିକି ବୈଭବଶାଳୀ । ପଶ୍ଚିମ ଓଡିଶାର ଏହି କ୍ଷୁଦ୍ର ଜିଲ୍ଲା ଟି 1994 ମସିହାରେ ମୂଳଜିଲ୍ଲା କନ୍ଧମାଳ ଠାରୁ ଅଲଗା ହୋଇ ସ୍ବତନ୍ତ୍ର ଜିଲ୍ଲାର ମାନ୍ୟତା ପାଇଥିଲା । ଜିଲ୍ଲାର ଉତ୍ତରରେ ପୁଣ୍ୟତୟା ମହାନଦୀ ବୋହି ଯାଉଥିବା ବେଳେ, ଦକ୍ଷିଣରେ କନ୍ଧମାଳ, ପୂର୍ବରେ ନୟାଗଡ ଓ ପଶ୍ଚିମରେ ସୁବର୍ଣ୍ଣପୁର ଜିଲ୍ଲା ଅବସ୍ଥିତ । ଜିଲ୍ଲା ଟି ଆୟତନ ଦୃଷ୍ଟିରୁ ଛୋଟ ହୋଇଥିଲେ ମଧ୍ୟ ଜିଲ୍ଲାରେ ରହିଛି ପର୍ଯ୍ୟାପ୍ତ ପର୍ଯ୍ୟଟନ ସ୍ଥଳୀ । ବୌଦ୍ଧ ରାଜବାଟୀ, ମର୍ଜାକୁଦ ଦ୍ବୀପ, ରାମେଶ୍ବର ମନ୍ଦିର, ଡମ୍ବୁରୁଗଡ ପାହାଡ, ନାୟକପଡା ଗୁମ୍ପା, ଜଗତିସ୍ଥିତ ଚାରିଶମ୍ଭୁ ମନ୍ଦିର, ଭୈରବୀ ମନ୍ଦିର ସମେତ ଆହୁରି ଏକାଧିକ ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀ ରହିଛି। ଏହି ଶିଳ୍ପ ବିହୀନ ଜିଲ୍ଲାର ମୁଖ୍ୟ ଅର୍ଥନୀତି ହେଉଛି କୃଷି । ଧାନ ବିଭିନ୍ନ ପ୍ରକାରର ପରିବା ଚାଷ ହେଉଛି ଏଠାକରା ଲୋକଙ୍କ ମୁଖ୍ୟ ଅର୍ଥନୀତି । ଏହାସହ ଜିଲ୍ଲାର ଭୂଲିଆ(ମେହେର) ସମ୍ପ୍ରଦାୟର ଲୋକେ ଲୁଗାବୁଣି ବେଶ କିଛି ରୋଜଗାର କରନ୍ତି ।

ଜିଲ୍ଲାର ରାଜନୈତିକ ସ୍ଥିତି...

ରାଜ୍ୟ ରାଜନୀତିରେ ଜିଲ୍ଲାର ସେତେଟା ପ୍ରଭାବ ନଥିଲେ ମଧ୍ୟ ଜିଲ୍ଲାରେ ରହିଛି 2 ଟି ବିଧାନସଭା ଆସନ । କନ୍ଧମାଳ ଲୋକସଭା ଅଧିନରେ ଥିବା ବୌଦ୍ଧ ଜିଲ୍ଲା ଗତ 2009 ପରଠାରୁ 2 ଟି ବିଧାନସଭା ଜିଲ୍ଲାରେ ଗଠନ ହୋଇଛି । ଜିଲ୍ଲାର ବ୍ଲକ ସଂଖ୍ୟା 3 ଥିବାବେଳେ, ଜିଲ୍ଲା ପରିଷଦ ଜୋନ ରହିଛି 9, ଗ୍ରାମ ପଞ୍ଚାୟତ 69, ୱାର୍ଡ ସଂଖ୍ୟା 955 ରହିଛି । ଏହାବାଦ 2011 ଜନଗଣନା ତଥ୍ୟ ଅନୁସାରେ ଜିଲ୍ଲାରେ ଲୋକସଂଖ୍ୟା 4 ଲକ୍ଷ 41 ହଜାର ରୁ ଅଧିକ ଥିବାବେଳେ ମୋଟ ଭୋଟର ରହିଛନ୍ତି 2 ଲକ୍ଷ 82 ହଜାରରୁ ଅଧିକ ।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଜିଲ୍ଲାର 2 ଟି ବିଧାସଭା ଆସନକୁ ଶାସକ ଦଳ ଅକ୍ତିଆର କରିଥିବା ବେଳେ ଆଜି ଯାଏଁ ଏଠି ବିଜେପି ଖାତା ଖୋଲିପାରି ନାହିଁ । ଜିଲ୍ଲାର ପୁରୁଖା ବିଜେଡି ନେତା ତଥା ବୌଦ୍ଧ ବିଧାୟକ ପ୍ରଦୀପ ଅମାତ ଲଗାତାର ବିଜୟୀ ହେଉଥିବାବେଳେ 2009 ରେ ଗଠିତ କଣ୍ଟାମାଳ ଆସନକୁ ମଧ୍ୟ ବିଜେଡି ଦଖଲ କରୁଛି । ବିଜେପି ଯଦିଓ ଦିନକୁ ଦିନ ସଂଗଠନ ସୁଦୃଢ କରିବାକୁ ଉଦ୍ୟମ କରୁଛି ତଥାପି ତାହା ବିଜୟ ପାଇଁ ଯଥେଷ୍ଟ ନୁହେଁ । ଏହାସହ ଜିଲ୍ଲାରେ କଂଗ୍ରେସ ଏକପ୍ରକାର ମୂଳପୋଛ ହୋଇସାରିଛି । ତଥାପି କଂଗ୍ରେସ ସମସ୍ତ ଆସନରେ ପ୍ରାର୍ଥୀ ଦେବା ସହ ଲଢେଇ କରୁଛି ।

କଣ ଥିଲା 2017ର ସ୍ଥିତି...

କିଏ ଜିତିବ ବୌଦ୍ଧ ବାଜି, କଣ କହୁଛି ଗଣିତ

ଗତ 2017 ପଞ୍ଚାୟତ ନିର୍ବାଚନରେ ସିଧାସଳଖ ବିଜେପି ବିଜେଡି ମଧ୍ୟରେ ଟକ୍କର ହୋଇଥିବା ବେଳେ, ବାଜି ମାରିଥିଲା ବିଜେଡି । ଜିଲ୍ଲାର ମୋଟ 9 ଟି ଜିଲ୍ଲା ପରିଷଦ ଜୋନରୁ ବିଜେଡି 6 ଟି ରେ ବିଜୟୀ ହୋଇଥିବା ବେଳେ, ବିଜେପି 2 ଟି ଓ ସିପିଆଇକୁ ମିଳିଥିଲା ଗୋଟିଏ ଆସନ । ଆଉ ଜିଲ୍ଲା ପରିଷଦ ଗଠନ କରିଥିଲା ବିଜେଡି । ଦଳର ଜ୍ୟୋସ୍ନା ଭୋଇ ଅଧ୍ୟକ୍ଷ ହୋଇଥିବାବେଳେ ଅକ୍ରୁର ସେଠୀ ହୋଇଥିଲେ ଉପାଧ୍ୟକ୍ଷ ।

ତେବେ ଚଳିତ ନିର୍ବାଚନକୁ ନେଇ ଜିଲ୍ଲା ରାଜନୀତି ପୁରା ସରଗରମ ହୋଇପଡିଛି । ପୁଣି ଥରେ ବିଜେଡି ନିଜ ବିଜୟ ବାନା ଉଡଇବାକୁ ଦମ୍ଭ ଦେଖାଉଥିବା ବେଳେ, ଧସେଇ ପଶିବାକୁ ଉଦ୍ୟମ କରୁଛି ବିଜେପି । ଜିଲ୍ଲାରେ କଂଗ୍ରେସ ସଂଗଠନ ଭୁଶୁଡି ପଡିଥିଲେ ମଧ୍ୟ ଦଳୀୟ ପ୍ରାର୍ଥୀ ମାନେ ନିଜ ନିଜ ବିଜୟ ନେଇ ଆଶାବାଦୀ ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details