ବୌଦ୍ଧ: ଜିଲ୍ଲାରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ । ଆଉ ଏଭଳି ସମୟରେ ଆମ୍ବର ସ୍ବତନ୍ତ୍ର ଚାହିଦା ପରିଲକ୍ଷିତ ହୋଇଛି । ସ୍ଥାନୀୟ ଆମ୍ବ ପ୍ରଚୁର ମାତ୍ରାରେ ଉପଲବ୍ଧ କାରଣରୁ ଆମ୍ବର ଦର ମଧ୍ୟ ଯଥେଷ୍ଟ କମ ରହୁଛି । ସେପଟେ ଆମ୍ବ ଚାହିଦା ବୃଦ୍ଧି ତଥା ଚାଷୀଙ୍କ ଆର୍ଥିକ ମାନଦଣ୍ଡ ବୃଦ୍ଧି ଉଦ୍ଦେଶ୍ୟରେ ପ୍ରଶାସନ ପକ୍ଷରୁ ଗାଁ ଆମ୍ବ ପସରା ଭଳି ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି ।
ତେବେ ଚଳିତ ବର୍ଷ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆମ୍ବର ବିଭିନ୍ନ କିସମର ପ୍ରଚୁର ଉତ୍ପାଦନ ହୋଇଛି । ଅନୁକୂଳ ଜଳବାୟୁ ଯୋଗୁଁ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚାଷୀଙ୍କ ଆମ୍ବ ବଗିଚାରେ ପ୍ରଚୁର ଆମ୍ବ ଫଳିଛି । ଝଡ଼ବାତ୍ୟା ସତ୍ତ୍ୱେ ବିଭିନ୍ନ ପ୍ରଜାତିର ଆମ୍ବ ଉତ୍ପାଦିତ ହୋଇ ପାରିଛି । ବଜାରରେ ସ୍ଥାନୀୟ ଆମ୍ବର ଚାହିଦା ରହିଥିବା ବେଳେ ରାଜ୍ୟ ବାହାରର ଆମ୍ବ ଆଦୌ ପ୍ରବେଶ କରିପାରି ନାହିଁ । ଏପରିକି ଜିଲ୍ଲାର କୌଣସି ବ୍ୟବସାୟୀ ବାହାରୁ ଗୋଟିଏ ଗାଡି ଟ୍ରିପ ମଧ୍ୟ ଆମ୍ବ ଆଣି ନାହାନ୍ତି । ଆମ୍ବ ବଜାରରେ ସ୍ଥାନୀୟ ଆମ୍ବର ବିଭିନ୍ନ କିସମ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ହେଉଥିବା ବେଳେ ଅତ୍ୟଧିକ ଆମ୍ବ ଉତ୍ପାଦନ ଯୋଗୁଁ ଦର କିନ୍ତୁ ଯଥେଷ୍ଟ କମ ରହୁଛି । ପୂର୍ବ ବର୍ଷଗୁଡିକରେ ରାଜ୍ୟ ବାହାରୁ ଆସୁଥିବା ବାଇଗଣପଲ୍ଲୀ, କଲମୀ, ଦସେରୀ , ଆଖୁରସ ଭଳି କିସମ ଆମ୍ବର ବଜାରରେ ଚାହିଦା ରହୁଥିବା ବେଳେ ଚଳିତ ଥର ଦେଶୀ ଆମ୍ବ ପ୍ରତି ମନ ବଳାଉଛନ୍ତି ଗ୍ରାହକ ।