ଓଡିଶା

odisha

ETV Bharat / state

ଭଙ୍ଗା ଶ୍ରେଣୀଗୃହରେ ଚାଲିଛି ଭବିଷ୍ୟତ ଗଢା - ବୌଦ୍ଧ ଜିଲ୍ଲା

ବୌଦ୍ଧ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତ ଆମ୍ବଝରୀର ବିଦ୍ୟାଳୟରେ ନାହିଁ ଛାତ । ବର୍ଷା ଦିନେ ଶ୍ରେଣୀଗୃହର ଗୋଟିଏ କୋଣରେ ଚାଲିଛି ପାଠପଢା ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

By

Published : Aug 9, 2019, 10:03 PM IST

ବୌଦ୍ଧ: ରାଜ୍ୟରେ ଦିଗହରା ଶିକ୍ଷା ବ୍ୟବସ୍ଥା । ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବାକୁ ସରକାର ପ୍ରତିଶ୍ରୃତି ଦେଇ ଆସୁଥିବା ବେଳେ ଏହା କେବଳ ପ୍ରତିଶ୍ରୃତିରେ ହିଁ ରହିଯାଇଛି । 'ସଭିଏଁ ପଢନ୍ତୁ, ସଭିଏଁ ବଢନ୍ତୁ' ସ୍ଲୋଗାନ ଶୁଣିବାକୁ ଯେତିକି ଭଲ ଲାଗୁଛି, ତାହା ବାସ୍ତବତା ଠାରୁ ଢେର ଦୂରରେ ଭଳି ମନେ ହେଉଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତ ଆମ୍ବଝରୀର ଏହି ବିଦ୍ୟାଳୟ ଅବସ୍ଥାକୁ ଦେଖିଲେ ଆମ ପିଲାଙ୍କ ଭବିଷ୍ୟତ ଭଗବାନଙ୍କ ଭରଷାରେ ଥିବା ପରି ମନେହୁଏ । ଆମ ପିଲା କିଭଳି ପଢିବେ ଓ କିଭଳି ବଢିବେ ତାର ନଗ୍ନ ଚିତ୍ର ସମସ୍ତଙ୍କ ସମ୍ମୁଖରେ । ଅପହଞ୍ଚ ଅଞ୍ଚଳରେ ସ୍କୁଲ ଅଛି, ଶିକ୍ଷକ ଅଛନ୍ତି ଏବଂ ଛାତ୍ରଛାତ୍ରୀ ମଧ୍ୟ ଅଛନ୍ତି । ହେଲେ ମୁଣ୍ଡ ଉପରେ ନାହିଁ ଛପର । ଶ୍ରେଣୀ ଗୃହର କବାଟ ଝରକା ମଧ୍ୟ ନାହିଁ ।

ବର୍ଷା ଦିନ ହେତୁ ଶ୍ରେଣୀ ଗୃହର ଗୋଟିଏ କୋଣରେ ଚାଲିଛି ପାଠପଢା । ବର୍ଷା ନହେଲେ ସ୍କୁଲ ବାରଣ୍ଡା କିମ୍ବା ଗଛ ତଳେ ପଢା ଚଳିଯାଏ, କିନ୍ତୁ ଯଦି ବର୍ଷା ହୁଏ ତେବେ ଛାତ୍ରଛାତ୍ରୀଙ୍କୁ ବହିବସ୍ତାନି ଧରି ସ୍କୁଲର ଗୋଟିଏ କୋଣରେ ଠିଆହୋଇ ବର୍ଷା ନସରିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡେ । ବିଦ୍ୟାଳୟରେ ସମୁଦାୟ ୧୯୫ ଜଣ ଛାତ୍ରଛାତ୍ରୀ ଥିବା ବେଳେ ଶିକ୍ଷକଙ୍କ ଅଭାବ ଶିକ୍ଷା ଦାନରେ ବାଧକ ସାଜୁଥିବା କହନ୍ତି ଛାତ୍ରଛାତ୍ରୀ । ଏହାଛଡା ରୋଷେଇ ଘରଠାରୁ ଆରମ୍ଭ କରି ଶୌଚାଳୟ ଓ ଅନ୍ୟାନ୍ୟ ଅସୁବିଧାର ଅନ୍ଧକାର ଭିତରେ ହଜିଯାଇଛି ଆମ୍ବଝରୀ ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥା ।

ଏକ ଅପହଞ୍ଚ ତଥା ଆଦିବାସୀ ଅଞ୍ଚଳରେ ବିଦ୍ୟାଳୟଟି ରହିଥିବା ହେତୁ ବୋଧହୁଏ ପ୍ରଶାସନିକ ଦୃଷ୍ଟି ମଧ୍ୟ ଠିକରେ ପଡିପାରୁ ନାହିଁ । ଅବଶ୍ୟ ସରକାରଙ୍କ ଦୟାରୁ ଅତିରିକ୍ତ ଶ୍ରେଣୀ ଗୃହ ନାମରେ ଖଣ୍ଡେ ପକ୍କା ଘର ରହିଛି, କିନ୍ତୁ ରାଜନୈତିକ ଛକାପଞ୍ଜା ମଧ୍ୟରେ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ହୋଇପାରି ନାହିଁ । ଅନ୍ୟପକ୍ଷରେ ସ୍କୁଲ ଘରର ସମସ୍ତ ଦାୟିତ୍ୱ ପଞ୍ଚାୟତକୁ ହସ୍ତାନ୍ତର କରାଯାଇଛି ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

ABOUT THE AUTHOR

...view details