ବୌଦ୍ଧ/ ସୋନପୁର:ସମସ୍ୟା ଘେରରେ ସୋନପୁର ଓ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସରକାରୀ ବିଭାଗରେ କାର୍ଯ୍ୟରତ ଡ୍ରାଇଭର । ଦୀର୍ଘ ବର୍ଷ ଧରି ବିଭିନ୍ନ ବିଭାଗର ଗାଡ଼ି ଚଲାଇ ଆସୁଥିବା ବେଳେ ବର୍ତ୍ତମାନ ଏହି ଡ୍ରାଇଭର ମାନେ ଅବହେଳିତ ହୋଇଥିବା ଅଭିଯୋଗ ହୋଇଛି । ବଉଦ ଜିଲ୍ଲାର ବିଭିନ୍ନ ସରକାରୀ ବିଭାଗରେ କାର୍ଯ୍ୟରତ ଅନେକ ଡ୍ରାଇଭରଙ୍କୁ ସରକାର ଆଜି ପର୍ଯ୍ୟନ୍ତ ଚିହ୍ନଟ କରି ପାରି ନାହାଁନ୍ତି । ଫଳରେ ଗାଡ଼ି ଚଲାଇ ଆସୁଥିବା ଡ୍ରାଇଭର ସ୍ବଳ୍ପ ବେତନ ପାଉଥିବାରୁ ପରିବାର ପ୍ରତିପୋଷଣ କରିବା କଷ୍ଟର ହୋଇପଡିଛି । ଦରମା ବୃଦ୍ଧି ଓ ସରକାରୀ ମାନ୍ୟତା ପ୍ରଦାନ ପାଇଁ ବୌଦ୍ଧ ଜିଲ୍ଲାର ଡ୍ରାଇଭର ସଂଘ ବିଭିନ୍ନ ସମସ୍ୟା ସମ୍ପର୍କରେ ଜିଲ୍ଲାପାଳଙ୍କ ନିକଟରେ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି ।
ସରକାରଙ୍କ ବିଭିନ୍ନ ଯୋଜନାର ବିଶେଷ ଭାବରେ ସ୍ବାସ୍ଥ୍ୟ ସେବା,କୋଭିଡ, ଜନଗଣନା, ନିର୍ବାଚନ ସମୟରେ ଡ୍ରାଇଭର ମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଆସିଛି । କିନ୍ତୁ ବର୍ତ୍ତମାନ ସମୟରେ ଏଭଳି ସରକାରୀ ବିଭାଗରେ କାର୍ଯ୍ୟରତ ଡ୍ରାଇଭରଙ୍କ ଦୁଃଖ କହିଲେ ନସରେ । ଅନେକ ବରିଷ୍ଠ ଡ୍ରାଇଭର ସରକାରୀ ମାନ୍ୟତା ପାଇନପାରି ତାଙ୍କ ସ୍ଵର୍ଗବାସ ଘଟିସାରିଲାଣି । ବର୍ତ୍ତମାନ ମଧ୍ୟ ଜିଲ୍ଲାର ବିଭିନ୍ନ ସରକାରୀ ବିଭାଗରେ ୨୫ରୁ ୩୦ ବର୍ଷ ହେଲା କାର୍ଯ୍ୟ କରୁଥିବା ଡ୍ରାଇଭର ମାନେ ଅତ୍ୟନ୍ତ ସ୍ବଳ୍ପ ବେତନରେ ପରିବାର ପ୍ରତିପୋଷଣ କରୁଛନ୍ତି ।
ଅନ୍ୟପଟେ ଗତକାଲି ସୋନପୁର ଜିଲ୍ଲା ସରକାରୀ ମୋଟର ଚାଳକ କର୍ମଚାରୀ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ନୀରବ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଜିଲ୍ଲା ସଂଘର ସଭାପତି ସଞ୍ଜିବ ନାଏକଙ୍କ ନେତୃତ୍ବରେ ସରକାରୀ କାର୍ଯ୍ୟାଳୟରେ ନିଯୁକ୍ତ ଡ୍ରାଇଭରମାନେ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ । ଜିଲ୍ଲାର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଗୁଡିକରେ ସରକାରୀ ଗାଡି ଗୁଡିକ ଚଲାଉଥିବା ଡ୍ରାଇଭରମାନେ ସ୍ଥାୟୀ ନିଯୁକ୍ତି ଦାବିରେ ଏହି ଆନ୍ଦୋଳନ କରିଥିଲେ । ଏହି କର୍ମଚାରୀମାନେ ଦୀର୍ଘ ଦିନରୁ ଏନଏମଆର, ଡି ଏଲ ଆର ଓ ଅସ୍ଥାୟୀ କର୍ମଚାରୀ ଭାବେ କାର୍ଯ୍ୟ କରିଆସୁଛନ୍ତି ।