ବୌଦ୍ଧ:ଦିନେ ଯେଉଁ ଅଞ୍ଚଳରେ ଉପଯୁକ୍ତ ଖାଦ୍ୟ ତଥା ଚିକିତ୍ସା ଅଭାବରୁ ଶିଶୁ ଓ ଗର୍ଭବତୀ ମହିଳା ବ୍ୟାପକ ସମସ୍ୟାରେ ସମ୍ମୁଖୀନ ହେଉଥିଲେ । ବର୍ତ୍ତମାନ ସେସବୁ ଅଞ୍ଚଳର ଚିତ୍ର ଧିରେ ଧିରେ ବଦଳିବାରେ ଲାଗିଛି । ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ଉଦ୍ୟମ କ୍ରମେ ଏଭଳି ଉପାନ୍ତ ତଥା ଦୁର୍ଗମ ଅଞ୍ଚଳରେ ସମନ୍ବିତ ଶିଶୁ ଓ ମହିଳାଙ୍କ ପାଇଁ ବିଭାଗର କର୍ମୀମାନେ ପହଞ୍ଚି ସରକାରଙ୍କ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଅବଗତ କରିବା ସହ ପୁଷ୍ଟିକର ଖାଦ୍ୟ କିଭଳି ପାଇପାରିବେ ତାର ପ୍ରଚେଷ୍ଟା କରୁଛନ୍ତି ।
ଦୁର୍ଗମ ଅଞ୍ଚଳରେ ଦିନେ ଖାଦ୍ୟ ଓ ଚିକିତ୍ସାକୁ ନେଇ ଉଭୟ ଶିଶୁ ଓ ଗର୍ଭବତୀ ମହିଳା ଅତ୍ୟନ୍ତ କଷ୍ଟ ଭୋଗୁଥିଲେ । କିନ୍ତୁ ପରିବର୍ତ୍ତିତ ସମୟରେ ସମନ୍ବିତ ଶିଶୁ ଓ ମହିଳା ବିକାଶ ବିଭାଗ ଏନେଇ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛି । ବୌଦ୍ଧ ଭଳି ଛୋଟ ଜିଲ୍ଲାରେ ଅନେକ ଦୁର୍ଗମ ଅଞ୍ଚଳ ରହିଛି ଯେଉଁଠାକୁ ସବୁଦିନିଆ ରାସ୍ତା ଅଭାବରୁ ସରକାରଙ୍କ ବିକାଶ ମୂଳକ ଯୋଜନା ଠିକରେ ପହଞ୍ଚି ପାରିନଥାଏ । ବିଶେଷ ଭାବରେ ଶିଶୁ ଓ ଗର୍ଭବତୀ ମହିଳା ଅତ୍ୟନ୍ତ କଷ୍ଟରେ ରହିଥାନ୍ତି । ପୁଷ୍ଟିହୀନତା ତଥା ଚିକିତ୍ସା ଅଭାବରୁ ଏସବୁ ଅଞ୍ଚଳର ହିତାଧିକାରୀ ଗୁଣିଗାରେଡି ନଚେତ୍ ସ୍ଥାନୀୟ ଘରୋଇ ଚିକିତ୍ସା ଉପରେ ନିର୍ଭର କରିଥାନ୍ତି । ତେବେ ବର୍ତ୍ତମାନ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ତଥା ଜିଲ୍ଲା ପ୍ରଶାସନର ପଦକ୍ଷେପ ଯୋଗୁଁ ଏଭଳି ସମସ୍ୟାର ସମାଧାନ ଦିଗରେ ବଡ ସଫଳତା ମିଳିବାକୁ ଯାଉଛି ।
ବୌଦ୍ଧ ଜିଲ୍ଲାର 3 ବ୍ଲକର ବିଭିନ୍ନ ପଞ୍ଚାୟତରେ ଏଭଳି ଶତାଧିକ ଗ୍ରାମ ରହିଛି । ଯେଉଁଠାକୁ ସବୁଦିନିଆ ରାସ୍ତା ଅଭାବରୁ ଆମ୍ବୁଲାନ୍ସ ସେବା ଓ ସ୍ବାସ୍ଥ୍ୟ ସେବା ଏକ ପ୍ରକାର ଅପହଞ୍ଚ ହୋଇ ରହିଥାଏ ।ଏଭଳି କ୍ଷେତ୍ରରେ ସ୍ଥାନୀୟ ଅଙ୍ଗନବାଡି ଦିଦି ଓ ଆଶାକର୍ମୀଙ୍କ ବଡ ଭୂମିକା ରହି ଆସିଛି । ଏହାଛଡା ବର୍ତ୍ତମାନ ଜିଲ୍ଲା ପ୍ରଶାସନର ଗାଁରେ ପ୍ରଶାସନ କାର୍ଯ୍ୟକ୍ରମ ଅନ୍ତର୍ଗତ ବିଭିନ୍ନ ଉପାନ୍ତ ଅଞ୍ଚଳରେ ପ୍ରଶାସନିକ ଅଧିକାରୀ ପହଞ୍ଚି ଶିଶୁ ଓ ମହିଳାଙ୍କ ସମସ୍ୟା ସମାଧାନ ପାଇଁ ପ୍ରଚେଷ୍ଟା କରୁଛନ୍ତି । ଖୋଦ ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ଏଭଳି ଅନେକ ଗ୍ରାମରେ ପହଞ୍ଚି ଶିଶୁ ଓ ମହିଳାଙ୍କ ସମସ୍ୟା କୁ ପ୍ରାଥମିକତା ଦେଇ ସମାଧାନ ପାଇଁ ନିର୍ଦ୍ଦେଶ ଦେଉଛନ୍ତି ।