ଓଡିଶା

odisha

କ୍ରୀଡ଼ା କ୍ଷେତ୍ର ପାଇଁ ବୌଦ୍ଧରେ ବିରାଟ ସମ୍ଭାବନା, ପ୍ରୋତ୍ସାହନ ଆଶାରେ କ୍ରୀଡ଼ାବିତ୍

By ETV Bharat Odisha Team

Published : Sep 10, 2023, 3:31 PM IST

ବୌଦ୍ଧ ଜିଲ୍ଲାରେ ଆଥଲେଟ ଓ ବିଭିନ୍ନ କ୍ରୀଡାର ରହିଛି ବିରାଟ ସମ୍ଭାବନା । ଖେଳାଳିଙ୍କୁ ପ୍ରୋତ୍ସାହନର ଆବଶ୍ୟକତା ରହିଛି । ଏଥିପାଇଁ କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ଦାବି ହୋଇଛି । ଅଧିକ ପଢ଼ନ୍ତୁ

appreciation required for players
ବୌଦ୍ଧରେ ପ୍ରୋତ୍ସାହନ ଆଶାରେ କ୍ରୀଡ଼ାବିତ୍

ବୌଦ୍ଧରେ ପ୍ରୋତ୍ସାହନ ଆଶାରେ କ୍ରୀଡ଼ାବିତ୍

ବୌଦ୍ଧ: ଜିଲ୍ଲାରେ ଆଥଲେଟ୍‌ ଓ ବିଭିନ୍ନ କ୍ରୀଡ଼ାର ରହିଛି ବିରାଟ ସମ୍ଭାବନା । ରାଜ୍ୟ ସରକାର ଖେଳାଳିମାନଙ୍କୁ ପ୍ରୋତ୍ସାହନ ଯୋଗାଇ ଦେଉଥିବାବେଳେ ବୌଦ୍ଧରେ ଖେଳ ଓ ଖେଳାଳିଙ୍କ ବିକାଶ ଦିଗରେ ଆବଶ୍ୟକ ଭିତ୍ତିଭୂମି ମିଳିପାରୁନାହିଁ । ଫଳରେ ଅନେକ ପ୍ରତିଭାବାନ ଖେଳାଳି ଅବହେଳିତ ହୋଇ ରହିଯାଉଛନ୍ତି । ଅବଶ୍ୟ ତୀରନ୍ଦାଜ ଓ ସନ୍ତରଣ କ୍ରୀଡ଼ା କ୍ଷେତ୍ରରେ ଜିଲ୍ଲାର ଖେଳାଳି ଜାତୀୟ ସ୍ତରରେ ଭାଗ ନେଇ କୃତିତ୍ୱ ହାସଲ କରିଛନ୍ତି । ହେଲେ ଖେଳ ପଡ଼ିଆର ଅଭାବରୁ ଅନେକ ସ୍ଥାନରେ କ୍ରୀଡାର ଉନ୍ନତି ଠିକ ଭାବେ ହୋଇପାରୁନାହିଁ ।

ଆବଶ୍ୟକୀୟ ଖେଳ ପଡ଼ିଆ ଓ କ୍ରୀଡ଼ା ସରଞ୍ଜାମ ଅଭାବରୁ ଅନେକ କ୍ରୀଡାବିତ୍‌ ଅବହେଳିତ ହୋଇ ରହିଯାଉଛନ୍ତି । ଗଡ଼ଜାତ ଶାସନ କାଳରୁ ବୌଦ୍ଧର ଅନେକ କୃତି ଖେଳାଳି ବିଭିନ୍ନ ଖେଳରେ ବେଶ ସୁନାମ ଅର୍ଜନ କରିପାରିଥିଲେ । ଦେଶ ସ୍ବାଧୀନ ପରେ ଅବିଭକ୍ତ ବୌଦ୍ଧ, କନ୍ଧମାଳ ଜିଲ୍ଲାର ବିଭିନ୍ନ କ୍ରୀଡ଼ା କ୍ଷେତ୍ରରେ ଅନେକ ପ୍ରତିଭାବାନ ଖେଳାଳି ସାରା ରାଜ୍ୟରେ ବେଶ ସୁନାମ ଅର୍ଜନ କରିପାରିଥିଲେ । ହେଲେ ସ୍ବତନ୍ତ୍ର ବୌଦ୍ଧ ଜିଲ୍ଲା ଗଠନ ପରେ ଜିଲ୍ଲାରେ କ୍ରୀଡ଼ା କ୍ଷେତ୍ରରେ କିଛି ପରିମାଣରେ ବିକାଶ ହୋଇଥିଲେ ମଧ୍ୟ ଖେଳ ଓ ଖେଳାଳିଙ୍କ ଆବଶ୍ୟକତା ମୁତାବକ ପଦକ୍ଷେପ ଗ୍ରହଣ କରାଯାଇନାହିଁ ।

ଜିଲ୍ଲା କ୍ରୀଡ଼ା ବିଭାଗ ଏକ ପ୍ରକାର ସ୍ଥାଣୁ ପାଲଟି ଯାଇଥିବାବେଳେ ଏହାର ଦାୟିତ୍ଵରେ ଥିବା ଅଧିକାରୀ କ୍ରୀଡ଼ାର ଉନ୍ନତି ନେଇ କୌଣସି ଆନ୍ତରିକତା ଦେଖାଉନଥିବା ଅଭିଯୋଗ ହୋଇଛି । ଫଳରେ ଜିଲ୍ଲାରେ କ୍ରୀଡ଼ାର ଅନେକ ସମ୍ଭାବନା ଥାଇ ମଧ୍ୟ ଖେଳାଳି ସୃଷ୍ଟି ହୋଇପାରୁ ନାହାନ୍ତି । ଗଡ଼ଜାତ ଶାସନ ସମୟରୁ ବୌଦ୍ଧର ଯୋଗୀନ୍ଦ୍ରଦେବ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆ ଭାବରେ ପରିଚିତ ସ୍ଥାନ ସ୍ବାଧୀନତା ପରେ କଚେରୀ ପଡିଆ ଓ ପରେଡ ପଡିଆ ଭାବରେ ପରିଚିତ ହୋଇଥିଲା । ହେଲେ ବର୍ତ୍ତମାନ ତାହା ଖେଳ ଅନୁପଯୋଗୀ ହୋଇପଡ଼ିଛି । ବୌଦ୍ଧ ଜିଲ୍ଲାରେ ଟର୍ଫ ଓ୍ବିକେଟ ପଡ଼ିଆର ଯଥେଷ୍ଟ ଆବଶ୍ୟକତା ରହିଥିବାବେଳେ ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଫଳରେ କ୍ରିକେଟ ଖେଳର ବିକାଶ ମଧ୍ୟ ହୋଇପାରୁନାହିଁ ।

ଏହା ବି ପଢନ୍ତୁ...କ୍ରୀଡା ପ୍ରତିଭାଙ୍କ ପାଇଁ ନାହିଁ ଭିତ୍ତିଭୂମି, ଆଉଟଡୋର ଖେଳକୁ ମନ ବଳାଉନାହାନ୍ତି ଖେଳାଳି

ଅନ୍ୟପଟେ, ବୌଦ୍ଧ ଜିଲ୍ଲା ସଦରମହକୁମାଠାରେ ଏକ ବୃହତ ଷ୍ଟାଡିୟମର ଲକ୍ଷ୍ୟ ନେଇ ପ୍ରାୟ 17 ବର୍ଷ ତଳେ ଆରମ୍ଭ ହୋଇଥିବା ନିର୍ମାଣ କାର୍ଯ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇପାରିନାହିଁ । ଫଳରେ ବର୍ତ୍ତମାନ ସେହି ଅର୍ଦ୍ଧ ନିର୍ମିତ ଷ୍ଟାଡିୟମରେ ଖେଳାଳିଙ୍କ ଭାଗ୍ୟ ନିର୍ଦ୍ଧାରଣ ହେଉଛି । ଏହାଛଡ଼ା ଜିଲ୍ଲାର ସମସ୍ତ ୬୯ ପଞ୍ଚାୟତରେ କ୍ରୀଡ଼ାର ବିକାଶ ପାଇଁ ଖେଳପଡ଼ିଆ ଉନ୍ନତି ନାଁରେ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଥିବାବେଳେ ଏସବୁ କେବଳ ଠିକାଦାର ଓ ଯନ୍ତ୍ରୀଙ୍କୁ ସହାୟତା କରିବା ସଦୃଶ ହୋଇଛି ।

ତେବେ ବୌଦ୍ଧ ଜିଲ୍ଲାର ସନ୍ତରଣକାରୀ ଓ ତୀରନ୍ଦାଜ ଖେଳାଳିମାନେ ରାଜ୍ୟ ତଥା ଜାତୀୟ ସ୍ତରରେ ଅଂଶଗ୍ରହଣ କରି ପଦକ ବିଜେତା ହୋଇ ଜିଲ୍ଲା ପାଇଁ ଗୋୖରବ ଆଣିପାରିଛନ୍ତି । ଏନେଇ ଉଭୟ କ୍ରୀଡା କ୍ଷେତ୍ରରେ କାର୍ଯ୍ୟ କରୁଥିବା ପ୍ରଶିକ୍ଷକମାନେ ବେଶ ଆଶାବାଦୀ ଥିବାବେଳେ ଜିଲ୍ଲାର ବିଭିନ୍ନ ଖେଳରେ କୃତିତ୍ୱ ହାସଲ କରୁଥିବା ଖେଳାଳି ଓ ଖେଳର ବିକାଶ ପାଇଁ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ କ୍ରୀଡାବିତ୍‌ମାନେ ଦାବି କରିଛନ୍ତି ।


ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details