ବୌଦ୍ଧ:ବୁଦ୍ଧଙ୍କୁ ନେଇ ବୌଦ୍ଧ ଜିଲ୍ଲାର ପରିକଳ୍ପନା । ହେଲେ ବିଡମ୍ବନାର ବିଷୟ ଯାହା ପାଇଁ ପରିଚୟ ପାଇଥିଲା ତାହା ଆଜି ପରିତ୍ୟକ୍ତ ଅବସ୍ଥାରେ । ଜିଲ୍ଲାର ଏଭଳି ଦୁଇଟି ବୌଦ୍ଧ ଧର୍ମର ପ୍ରାଚୀନ ପୀଠ ଅବହେଳିତ ହୋଇ ପଡିରହିଥିବାରୁ ଏନେଇ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି । ସଂଧ୍ୟା ହେଲେ ଉକ୍ତ ଦୁଇ ଐତିହାସିକ ପୀଠ ଅନ୍ଧକାରରେ ବୁଡି ରହିବା ସହିତ ଅସାମାଜିକ ଲୋକଙ୍କ ଆଡ୍ଡାସ୍ଥଳୀ ପାଲଟିଯାଇଛି । ଏନେଇ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିବା ସହିତ ଏସବୁ ପୀଠର ଉନ୍ନତି ପାଇଁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି କରିଛନ୍ତି ।
ବୁଦ୍ଧ ଓ ବୌଦ୍ଧ ଧର୍ମକୁ ନେଇ ବୌଦ୍ଧ ଅଞ୍ଚଳର ପରିକଳ୍ପନା । ଭଗବାନ ବୁଦ୍ଧଙ୍କ ଜୟନ୍ତୀ ଉତ୍ସବ ଆଉ ଦିନ କେଇଟା ପରେ ପାଳନ ହେବାକୁ ଥିବା ବେଳେ ଭଗବାନ ବୁଦ୍ଧଙ୍କ ବାଣୀରେ ଶାଣିତ ବୌଦ୍ଧ ଜିଲ୍ଲାରେ ବୌଦ୍ଧ ବିହାର ଓ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ଅବହେଳାର ଶୀକାର ହୋଇଥିବା ଅଭିଯୋଗ ହୋଇଛି । ବୌଦ୍ଧ ଜିଲ୍ଲାର ସଦର ମହକୁମାର ରାଜବାଟୀ ନିକଟିଓ ରାମେଶ୍ୱର ମନ୍ଦିର ପରିସରରେ ଭଗବାନ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ରହିଛି । ଏହାଛଡା ଜିଲ୍ଲାର ସାମ୍ପୋଚ ପଞ୍ଚାୟତ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମର ଝାର ବଉଦିଆ ବୁଦ୍ଧ ଓ ରାମଗଡ ପଞ୍ଚାୟତ ଅନ୍ତର୍ଗତ ପରଗଳପୁରର ବୁଦ୍ଧ ମନ୍ଦିର ଅନ୍ୟତମ ।
ବୌଦ୍ଧ ଜିଲ୍ଲାର ଉକ୍ତ ଦୁଇଟି ପ୍ରାଚୀନ ବୌଦ୍ଧ ଧର୍ମର ଐତିହାସିକ ପୀଠ ବର୍ତ୍ତମାନ ଅତ୍ୟନ୍ତ ଅବହେଳିତ ହୋଇ ପଡିଛି । ଉକ୍ତ ଦୁଇ ପୀଠ ସଂଧ୍ୟା ହେଲେ ଅନ୍ଧକାର ମଧ୍ୟରେ ବୁଡି ରହୁଥିବା ବେଳେ ଏହାର ପରିସର ଅସାମାଜିକ ଲୋକଙ୍କ ଆଡ୍ଡାସ୍ଥଳୀ ପାଲଟିଯାଇଛି । ଶ୍ୟାମସୁନ୍ଦରପୁରର ଝାର ବଉଦିଆ ପୀଠର ଉନ୍ନତି ପାଇଁ ଗତ 2021-22 ଆର୍ଥିକ ବର୍ଷରେ ପ୍ରାୟ ୬ ଲକ୍ଷ ଟଙ୍କା ବ୍ୟୟରେ ଗ୍ରାମୀଣ ପାର୍କ ନିର୍ମାଣ କରାଯାଇଥିବା ସୂଚନା ଫଳକରେ ଉଲ୍ଲେଖ ଥିବା ବେଳେ ସେଠାରେ କୌଣସି ପାର୍କ ଆଦୌ ନିର୍ମାଣ କରାଯାଇନାହିଁ । ଏଥିରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।