ବୌଦ୍ଧ:ଉପାନ୍ତ ଅଞ୍ଚଳରେ ଅପହଞ୍ଚ ସରକାରୀ ଯୋଜନା । ଲୋକଙ୍କ ସୁବିଧା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମାଳମାଳ ଯୋଜନା କରି କୋଟିକୋଟି ଟଙ୍କା ଖର୍ଚ୍ଚ କରି ଚାଲିଛନ୍ତି । ହେଲେ ଦୁର୍ଗମ ଅଞ୍ଚଳରେ ଆଜି ବି ଅପହଞ୍ଚ ସରକାରଙ୍କ ବିକାଶମୂଳକ ଯୋଜନା । ବୌଦ୍ଧ ଜିଲ୍ଲାର ଅନ୍ୟତମ ଉପାନ୍ତ ପଞ୍ଚାୟତ ନାରାୟଣ ପ୍ରସାଦରେ ବିକାଶ ପହଞ୍ଚି ପାରୁ ନ ଥିବା ଅଭିଯୋଗ ହୋଇଛି । ଫଳରେ ଶିକ୍ଷା, ସ୍ବାସ୍ଥ୍ୟ, ସାମାଜିକ ସୁରକ୍ଷା ଓ ଅତି ଜରୁରୀ ସେବା ପହଞ୍ଚି ପାରୁନଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ ।
ଉପାନ୍ତ ତଥା ଦୁର୍ଗମ ଅଞ୍ଚଳରେ ସବୁଦିନିଆ ରାସ୍ତା ଅଭାବରୁ ସେସବୁ ଅଞ୍ଚଳରେ ସରକାରଙ୍କ ବିକାଶ ମୂଳକ ଯୋଜନା ଠିକ୍ରେ ପହଞ୍ଚି ପାରୁନଥିବା ଅଭିଯୋଗ ହୋଇଛି । ଯୋଗାଯୋଗର ବିଛିନ୍ନତା ହେତୁ ସେସବୁ ଅଞ୍ଚଳରେ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟଜଳ ଭଳି ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ଗରିବ ଆଦିବାସୀ ହିତାଧିକାରୀ । କଣ୍ଟାମାଳ ବ୍ଲକର ୨୪ ଗୋଟି ପଞ୍ଚାୟତ ମଧ୍ୟରୁ ଲମ୍ବସରୀ, ବରଗାଁ, ଉମା, ଖୁଣ୍ଟିଗୋରା, ନାରାୟଣ ପ୍ରସାଦ ଭଳି ଉପାନ୍ତ ପଞ୍ଚାୟତର ବିଭିନ୍ନ ଅଞ୍ଚଳକୁ ଯୋଗାଯୋଗର ସମସ୍ୟା ରହିଆସିଛି । ବିଶେଷ ଭାବରେ ଉମା, ଖୁଣ୍ଟିଗୋରା, ନାରାୟଣ ପ୍ରସାଦ ଭଳି ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତରେ ବିଭିନ୍ନ ସମୟରେ ମାଓବାଦୀଙ୍କ ଉପସ୍ଥିତି ଜାହିର ହୋଇ ଆସିଛି ।
ଗତ କିଛି ମାସ ତଳେ ଖୁଣ୍ଟିଗୋରା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ମାଓବାଦୀଙ୍କ ପୋଷ୍ଟର ସମସ୍ତଙ୍କୁ ଭୟଭୀତ କରିଥିଲା । ମାଓ ଗତିବିଧି ସକ୍ରିୟ ଥିବା ନାରାୟଣ ପ୍ରସାଦ ପଞ୍ଚାୟତର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ସରକାରୀ ଯୋଜନା ସଠିକ ଭାବରେ ପହଞ୍ଚି ପାରୁନାହିଁ । ନାରାୟଣ ପ୍ରସାଦ ପଞ୍ଚାୟତର ଅନୁଗୁଭା, ଲୁଣ୍ଡୁରୁ, ନାଦେନ ଭଳି ବିଭିନ୍ନ ଦୁର୍ଗମ ଅଞ୍ଚଳକୁ ଯୋଗାଯୋଗ ପାଇଁ ସବୁଦିନିଆ ରାସ୍ତା ଖଣ୍ଡିଏ ନଥିବାରୁ ସେସବୁ ଅଞ୍ଚଳରେ ସ୍ବାସ୍ଥ୍ୟସେବା ଅପହଞ୍ଚ ହୋଇ ରହିଛି । ରାସ୍ତା ଅଭାବରୁ ଆମ୍ବୁଲାନ୍ସ ସେବା ସମ୍ପୂର୍ଣ୍ଣ ଅପହଞ୍ଚ ହୋଇ ରହିଛି ।