ବୌଦ୍ଧ: ସମସ୍ୟା ଭିତରେ ଉବୁଟୁବୁ ଏକ ପ୍ରାଚୀନ ବାଣିଜ୍ୟିକ ପେଣ୍ଠସ୍ଥଳୀ । ବାରମ୍ବାର ଏହାର ବିକାଶ ପାଇଁ ଅଞ୍ଚଳର ଅଧିବାସୀ ଦାବି କରି ଆସୁଥିବା ବେଳେ ଏନେଇ ଉଭୟ ପ୍ରଶାସନିକ ତଥା ରାଜନୈତିକ ଉଦାସୀନତା ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଥିବା ସାଧାରଣରେ ଚର୍ଚ୍ଚା ହେଉଛି । ବୌଦ୍ଧ ଜିଲ୍ଲାର ବିଭିନ୍ନ ପ୍ରାଚୀନ ତଥା ଐତିହାସିକ ଅଞ୍ଚଳ ମଧ୍ୟରୁ ଅନ୍ୟତମ ବାଉଁଶୁଣୀ । ଆଜି ମଧ୍ୟ ବାଉଁଶୁଣୀରେ ବଉଦିଆ ପଡା ଓ ସୋନପୁରୀଆ ପଡା ବସ୍ତି ରହିଛି । ବାଘନଦୀ ଓ ମହାନଦୀ ର ସଙ୍ଗମ ସ୍ଥଳରେ ଅବସ୍ଥିତ ବାଉଁଶୁଣୀ ବୌଦ୍ଧ ଜିଲ୍ଲା ସଦର ବ୍ଲକର ଏକ ପଞ୍ଚାୟତ ହୋଇଥିଲେ ମଧ୍ୟ ଏହା ଉପରେ ପ୍ରାୟ ଦଶଟି ପଞ୍ଚାୟତର ଅଧିବାସୀ ନିର୍ଭରଶୀଳ ।
ବାଉଁଶୁଣୀ ଏକ ବ୍ୟବସାୟିକ ପେଣ୍ଠସ୍ଥଳୀ ହେବା ସହିତ ପ୍ରତ୍ୟେକ ଦିନ ଏଠାକୁ ଥାନା, ଡାକ୍ତରଖାନାରେ କାର୍ଯ୍ୟ ନିମନ୍ତେ ହଜାରହଜାର ଲୋକ ଆସିଥାନ୍ତି । 57 ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ବାଉଁଶୁଣୀ ଅଞ୍ଚଳ ବର୍ତ୍ତମାନ ନାନାପ୍ରକାର ସମସ୍ୟାରେ ଛନ୍ଦି ହୋଇ ରହିଛି । ବାଉଁଶୁଣୀ ଅଞ୍ଚଳରେ ଜବରଦଖଲ ଏକ ପ୍ରମୁଖ ସମସ୍ୟା ହୋଇ ରହିଥିବା ବେଳେ ପ୍ରଶାସନ ପକ୍ଷରୁ ଏସବୁ ଉଚ୍ଛେଦ ପାଇଁ ପ୍ରଚେଷ୍ଟା କରାଯାଇଥିଲା । କିନ୍ତୁ ଏହି ଉଚ୍ଛେଦ କେବଳ କେତେକ ଗରିବ ନିରୀହଙ୍କ ପାଇଁ ଉଦ୍ଦିଷ୍ଟ ଭଳି ମନେ ହେଉଥିବା ଅଭିଯୋଗ ହୋଇଛି । ଏହାଛଡ଼ା ଜାତୀୟ ରାଜପଥର ଉଭୟ ପାର୍ଶ୍ଵରେ ଡ୍ରେନେଜ ସମସ୍ୟାରୁ ରାସ୍ତା ଉପରେ ହିଁ ନର୍ଦ୍ଦମା ପାଣି ପାନୀୟଜଳ ସହିତ ଏକାକାର ହୋଇ ଯାଇଛି ।