ବୌଦ୍ଧ: ପଞ୍ଚାୟତ ନିର୍ବାଚନ ପରେ ରାଜ୍ୟରେ ଏବେ ଦେଖିବାକୁ ମିଳିଛି ପୌର ତାତି । ପୌର ଲଢେଇ ପାଇଁ ଜୋରଦାର ହୋଇଛି ପ୍ରସ୍ତୁତି । ପୌର ନିର୍ବାଚନ ପାଇଁ ଶେଷ ହୋଇଛି ଯାଞ୍ଚ ପ୍ରକ୍ରିୟା । ବୌଦ୍ଧ ଜିଲ୍ଲାର ଏକମାତ୍ର ଏନଏସିର ଅଧକ୍ଷ ପଦ ପାଇଁ ସମୁଦାୟ ୯ ଜଣ ପ୍ରାର୍ଥୀ ଓ କାଉନସିଲର ପଦ ପାଇଁ 50 ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ।
ପୌର ନିର୍ବାଚନ ପାଇଁ ଚଳଚଞ୍ଚଳ ଜିଲ୍ଲାର ପୌରାଞ୍ଚଳ । ବୌଦ୍ଧ ଜିଲ୍ଲାର ଏକମାତ୍ର ଏନଏସି ବୌଦ୍ଧଗଡ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ପଦ ପାଇଁ ବିଜେଡି, ବିଜେପି ଓ କଂଗ୍ରେସର ପ୍ରାର୍ଥୀଙ୍କ ସହିତ ଛଅ ଜଣ ସ୍ବାଧୀନ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି । ସେହିପରି ୧୭ ଗୋଟି ଓ୍ବାର୍ଡ ପାଇଁ ସମୁଦାୟ 50 ଜଣ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଛନ୍ତି । ବୌଦ୍ଧ ଏନଏସିର 12,13,14 ନମ୍ବର ଓ୍ବାର୍ଡ ପାଇଁ କଂଗ୍ରେସର ପ୍ରାର୍ଥୀ ନଥିବା ବେଳେ 4 ନମ୍ବର ଓ୍ବାର୍ଡରେ ବିଜେପି ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଛି ।