ବୌଦ୍ଧ : ଆଜି ଜାତୀୟ କ୍ରୀଡା ଦିବସ । ହକି ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ସ୍ମୃତିରେ ତାଙ୍କ ଜନ୍ମ ତିଥିକୁ 'ଜାତୀୟ କ୍ରୀଡା ଦିବସ' ଭାବେ ପାଳନ କରୁଛି ଦେଶ । ମଣିଷ ଜୀବନରେ ଖେଳର ଗୁରୁତ୍ବ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପ୍ରତିବର୍ଷ ଏହି ଦିବସ ପଳନ କରାଯାଏ । ଏହି ଅବସରରେ ଆଜି ସାରା ଦେଶ ଜାତୀୟ କ୍ରୀଡା ଦିବସ ପାଳନ କରୁଥିବା ବେଳେ ବୌଦ୍ଧ ଜିଲ୍ଲାରେ ମଧ୍ୟ ସେହି ମହାନ କ୍ରୀଡାବିତଙ୍କୁ ସ୍ମରଣ କରାଯାଇଥିବା ବେଳେ ଛାତ୍ରଛାତ୍ରୀଙ୍କୁ ନେଇ ଏକ ରାଲିର ଆୟୋଜନ କରାଯାଇଥିଲା ।
ତେବେ ୧୯୦୫ ମସିହାରେ ଆଜିର ଦିନରେ ଧ୍ୟାନଚାନ୍ଦ ଜନ୍ମଗ୍ରହଣ କରିଥିବା ବେଳେ ବିଶ୍ଵ ହକି ତଥା ଅଲମ୍ପିକରେ ତାଙ୍କ ଅବଦାନ ଅତୁଳନୀୟ । ତେଣୁ ଧ୍ୟାନଚାନ୍ଦଙ୍କ ଖେଳ ଯୋଗୁଁ ତାଙ୍କୁ ହକିର ଯାଦୁଗର ଭାବରେ ଅବିହିତ କରାଯାଇଥିଲା । ସେହି ମହାନ କ୍ରୀଡାବିତଙ୍କ ସ୍ମୃତି ଉଦ୍ଦେଶ୍ୟରେ ୧୯୯୫ ମସିହା ଠାରୁ ଅଗଷ୍ଟ ୨୯ ତାରିଖକୁ ଜାତୀୟ କ୍ରୀଡା ଦିବସ ଭାବରେ ପାଳନ କରାଯାଇ ଆସୁଛି । ସେହିପରି ଜିଲ୍ଲାରେ କ୍ରୀଡାର ଏକ ବିରାଟ ଭିତ୍ତିଭୂମି ରହି ଆସିଛି । ଏଠାରେ ହକି, ଫୁଟବଲ,ସନ୍ତରଣ, ଆଥଲେଟ, କ୍ରିକେଟ, ତୀରନ୍ଦାଜ ଭଳି ବିଭିନ୍ନ ଖେଳରେ ଅନେକ କୃତି ଖେଳାଳୀ ରାଜ୍ୟ ତଥା ଜାତୀୟ ସ୍ତରରେ ଭାଗନେଇ ଜିଲ୍ଲା ପାଇଁ ଗୌରବ ଆଣିପାରିଛନ୍ତି । କିନ୍ତୁ ବୌଦ୍ଧ ଜିଲ୍ଲାରେ ଆବଶ୍ୟକ ପଡିଆ ଓ ଭିତ୍ତିଭୂମିର ଅଭାବ କାରଣରୁ ଅନେକ କୃତି ଖେଳାଳୀ ବଣ ମଲ୍ଲୀ ଭଳି ଅଲୋଡ଼ା ହୋଇ ରହିଯାଇଛନ୍ତି ।